କରୋନାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରାଳୟର ପ୍ରେସମିଟ୍ । ରାଜେଶ ଭୂଷଣ କହିଲେ, ଦେଶରେ ସଂକ୍ରମଣ ବଢିଚାଲିଥିବାବେଳେ ହ୍ରାସ ପାଉଛି ମୃତ୍ୟୁହାର

247

କନକ ବ୍ୟୁରୋ : ଦେଶର ୨୭୪ଟି ଜିଲ୍ଲାରେ କରୋନା ପଜିଟିଭିଟି ହାର ୫ରୁ ୧୫ ପ୍ରତିଶତ ମଧ୍ୟରେ ରହିଛି । ସେହିପରି ୧୪୬ଟି ଜିଲ୍ଲାରେ ପଜିଟିଭିଟି ହାର ୧୫ ପ୍ରତିଶତରୁ ଅଧିକ ରହିଛି । ତେବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିବାବେଳେ ମୃତ୍ୟୁହାର ହ୍ରାସ ପାଇ ୧.୧୭ ପ୍ରତିଶତରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ।

ଦେଶର କରୋନା ସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜେଶ ଭୂଷଣ କହିଛନ୍ତି ଯେ, ଦିଲ୍ଲୀର କରୋନା ସ୍ଥିତିର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ କାମ କରୁଛନ୍ତି । ଖୁବଶୀଘ୍ର ଦିଲ୍ଲୀରେ ଅତିରିକ୍ତ ୧୬୪ଟି ଅକ୍ସିଜେନ ବେଡ୍ ଓ ୧୨୨ଟି ଆଇସିୟୁ ବେଡ୍ ଯୋଗ କରାଯିବ ।

ସେ କହିଛନ୍ତି ଯେ ଦେଶରେ ଏବେ ୨୧,୫୭,୦୦୦ ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି, ଯାହାକି ଗତ ବର୍ଷର ସର୍ବୋଚ୍ଚ ସକ୍ରିୟ ସଂକ୍ରମଣ ସଂଖ୍ୟାର ଦୁଇଗୁଣ । ଦେଶରେ ଏବେ ପ୍ରାୟ ୧୩ କୋଟି ଲୋକଙ୍କୁ ଟିକା ଦିଆଯାଇଛି ଓ ଗତ ୨୪ ଘଣ୍ଟାରେ ପ୍ରାୟ ୩୦ ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।