ସର୍ବସାଧାରଣରେ ଲଜ୍ଜା ! ଦିନ ଦ୍ୱିପହରରେ ମାଲକାନଗିରି ରାସ୍ତା ଉପରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ

50

କନକ ବ୍ୟୁରୋ: ଦିନ ଦ୍ୱିପହରରେ ଜଣେ ଆଦିବାସୀ ମହିଳାଙ୍କୁ ଅସଦାଚରଣ କରାଯାଇଛି । ଗତ ବୁଧବାରଦିନ ମାଲକାନଗିରି ଜିଲ୍ଲାରେ ସର୍ବସାଧାରଣରେ ଏଭଳି ଘଟଣା ଘଟିଥିଲେ ବି ଏହାକୁ କେହି ଅଟକାଇନଥିଲେ । ବରଂ ଅନେକ ଲୋକ ମୋବାଇଲରେ ଫଟୋ ଓ ଭିଡିଓ ନେବା ଦେଖାଯାଇଥିଲା । ଏହି ଭିଡିଓ ଏବେ ସ୍ଥାନୀୟ ଅଂଚଳରେ ଭାଇରାଲ ହୋଇଛି ।

ଖବର ଅନୁସାରେ, ମାଲାକାନଗିରି ସଦର ବ୍ଲକ ଅଂଚଳର ଜଣେ ୩୫ ବର୍ଷୀୟା ମହିଳା ଗତ ବୁଧବାର ଅନ୍ୟ ୨ ଜଣ ମହିଳାଙ୍କ ସହ ମିଶି ପଦ୍ମଗିରି ସପ୍ତାହିକ ହାଟକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଏମବି-୮୪ ଗ୍ରାମ ନିକଟରେ ମହିଳା ଜଣଙ୍କର ମୁଣ୍ଡ ବୁଲାଇବା ଯୋଗୁଁ ସେ ରାସ୍ତାରେ ବସି ପଡିଥିଲେ ।

ଅନ୍ୟ ସାଥୀ ମହିଳା ସେଠାରେ ତାଙ୍କୁ ଛାଡି ନିଜ ଗାଁକୁ ଫେରିଯାଇଥିଲେ । ତେବେ ମହିଳା ଜଣଙ୍କୁ ଏକାପାଇ ଜଣେ ଦୁର୍ବୃତ୍ତ ତାଙ୍କୁ ରାସ୍ତାପାଖକୁ ଟାଣିନେଇ ଦୁଷ୍କର୍ମ କରିଥିଲେ । ମହିଳା ଜଣକ ନିଜକୁ ରକ୍ଷା କରିବା ପାଇଁ ଚିକ୍ରାର କରୁଥିଲେ ମଧ୍ୟ ସେଇ ବାଟରେ ଯାଉଥିବା ଜଣେ କେହି ବି ତାଙ୍କୁ ଉଦ୍ଧାର କରି ନଥିଲେ ।

ଦୁର୍ଭାଗ୍ୟର କଥା ହେଲା, କିଛି ଲୋକେ ଘଟଣାକୁ ମୋବାଇଲ ଫୋନରେ ରେକର୍ଡ କରିଥିଲେ । ଘଟଣା ପରେ ସ୍ଥାନୀୟ କିଛି ଲୋକେ ଅଭିଯୁକ୍ତକୁ ବିରୋଧ କରି ଓଲଟା ଆକ୍ରମଣର ଶୀକାର ହୋଇଥିଲେ । ଘଟଣାକୁ ୩ଦିନ ବିତି ଯାଇଥିଲେ ସୁଦ୍ଧା ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ ଥଆନାରେ ଏତଲା କରିବାକୁ ସାହସ କରିନାହାଁନ୍ତି ପୀଡିତା । ମାଲକାନଗିରି ପରି ଆଦିବାସୀ ଅଂଚଳରେ ଦିନ ଦ୍ୱିପହରରେ ସର୍ବସମ୍ମୁଖରେ ଏଭଳି କାଣ୍ଡ ଘଟିବା ଆଇନ ଶୃଂଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।