ଆଖିବୁଜିଲା ‘କୁସୁମ’ ! ନନ୍ଦନକାନନରେ ଥିବା ଧଳା ବାଘୁଣୀର ବାର୍ଦ୍ଧକ୍ୟଜନିତ ମୃତ୍ୟୁ

39

କନକ ବ୍ୟୁରୋ: ଆଖିବୁଜିଲା ‘କୁସୁମ’ । ନନ୍ଦନକାନନରେ ଧଳା ବାଘୁଣୀ ‘କୁସୁମ’ର ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ନନ୍ଦନକାନନର ବୟସ୍କା ଧଳା ବାଘୁଣୀ ‘କୁସୁମ’ (୧୮) କିଛିଦିନ ହେଲା ଅସୁସ୍ଥ ହୋଇପଡିଥିଲା । ବାର୍ଦ୍ଧକ୍ୟ କାରଣରୁ ଗତ ୧୧ ଦିନ ହେଲା ତାର ଅବସ୍ଥା ବିଗିଡ଼ିବାରେ ଲାଗିଥିଲା । ସେ ରହୁଥିବା ଧଳା ବାଘ ସଫାରିର ଫିଡିଂ ଚ୍ୟାମ୍ବରର ଗୋଟିଏ ସ୍ଥାନରେ ଶୋଇରହୁଥିଲା । ତେବେ ‘କୁସୁମ’ର ଚିକିତ୍ସା ନନ୍ଦନନକାନନର ଚିକିତ୍ସକ ମାନେ କରୁଥିଲେ । ହେଲେ କୁସୁମର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଥିଲା ।

୧୯୯୯ ଡିସେମ୍ବର ମାସ ୨୮ ତାରିଖରେ ନନ୍ଦନକାନନର ଧଳା ବାଘୁଣୀ ଶ୍ରେୟା ଓ ମହାବଳ ବାଘ ରାମଙ୍କ ମିଳନରୁ ‘କୁସୁମ’ ଜନ୍ମ ନେଇଥିଲା । କୁସୁମର ମା’ ଶ୍ରେୟା ଦୀର୍ଘ ୨୨ ବର୍ଷ କାଳ ବଞ୍ଚି ରହି ସର୍ବ କାଳୀନ ରେକର୍ଡ ସୃଷ୍ଟି କରିଥିଲା । ଏବେ ୧୮ ବର୍ଷ ଜୀବିତ ରହିବାର ଗୌରବ ଅର୍ଜନ କରିଛି କୁସୁମ । ନନ୍ଦନକାନରେ ଧଳା ବାଘ ବଂଶ ବୃଦ୍ଧିରେ ତାର ଯଥେଷ୍ଟ ଅବଦାନ ରହିଛି । ସେ ତିନି ଥର ନିଶାନ ଔରସରୁ ୬ଟି ଶାବକ ଜନ୍ମ ଦେଇଛି ।

୨୦୦୮ ଅକ୍ଟୋବର ମାସ ୨୦ ତାରିଖରେ ପ୍ରଥମ ଗର୍ଭରୁ ସମ୍ରାଟ ଓ ଏକ ଶାବକକୁ ଜନ୍ମ ଦେଇଥିଲା । ସମ୍ରାଟ ଏବେ ଜୀବିତ ଥିବା ବେଳେ ଜନ୍ମ ସମୟରେ ଅନ୍ୟ ଶାବକଟିର ମୃତ୍ୟୁ ହୋଇଥିଲା । ଏହାପରେ ୨୦୧୦ ମାର୍ଚ୍ଚ ମାସ ୧ ତାରିଖରେ ସ୍ନେହା ଓ ଅନ୍ୟ ଏକ ଶାବକକୁ ସେ ଜନ୍ମ ଦେଇଥିଲା । ସ୍ନେହା ଜୀବିତ ଥିବା ବେଳେ ଅନ୍ୟ ଶାବକଟିର ମୃତ୍ୟୁ ହୋଇଥିଲା ।

ତୃତୀୟ ଗର୍ଭ ପ୍ରସବରେ ସେ ଶେଷ ଥର ପାଇଁ ଗତ ୨୦୧୧ ଜୁଲାଇ ମାସରେ ବିଜୟା ଓ ରାଗିଣୀଙ୍କୁ ଜନ୍ମ ଦେଇଥିଲା । ସେଥି ମଧ୍ୟରୁ ନନ୍ଦନକାନନରେ ବର୍ତ୍ତମାନ ୫ଟି ଅଛନ୍ତି । ଏହାଛଡ଼ା କୁସୁମର ଛୁଆ ସ୍ନେହା ଧଳା ବାଘୁଣୀ ପ୍ରଥମ ଗର୍ଭରୁ ୪ଟି ଓ ଦ୍ୱିତୀୟ ଗର୍ଭରୁ ୩ଟିକୁ ମିଶାଇ ୭ଟି ଛୁଆ ଜନ୍ମ ଦେଇଛି । ଏହା ମଧ୍ୟରେ ବିରଳ କଳା ବାଘ କ୍ରିଷ୍ଣାକୁ ଜନ୍ମ ଦେଇ ରେକର୍ଡ ସୃଷ୍ଟି କରିଥିଲା ।