ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶେଷ ହେଲା ଚାନ୍ଦା ଆଦାୟ ପ୍ରକ୍ରିୟା । ସଂଗ୍ରହ ହେଲା ୨ ହଜାର କୋଟି ଟଙ୍କା । 

420

କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶେଷ ହୋଇଛି ଚାନ୍ଦା ଆଦାୟ ପ୍ରକ୍ରିୟା । ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି । ତେବେ ଏହି ଅନୁଦାନ ଟଙ୍କାର ପରିମାଣ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି । ଏବେ ବି ଅନେକ ଚେକ୍ ଏବଂ ଅନୁଦାନ ବ୍ୟାଙ୍କରେ ରହିଥିବାରୁ ସେଗୁଡିକ ଟ୍ରଷ୍ଟରେ ଜମା ହୋଇପାରିନି ।

ଜାନୁଆରୀ ମାସରୁ ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁଥିରେ ସ୍ୱେଚ୍ଛାସେବୀମାନେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଅନେକ ସ୍ଥାନରୁ ଅନୁଦାନ ଯୋଗାଡ କରିଥିଲେ । ଏହି ପ୍ରକ୍ରିୟାରେ ସେମାନେ ମୋଟ ୫ ଲକ୍ଷ ଗାଁକୁ ଯାଇ ସେଠାରୁ ଦାନ ସଂଗ୍ରହ କରିଥିଲେ । ଏବେ ଏହି ପ୍ରକ୍ରିୟା ଶେଷ ହେବା ସହିତ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ ହୋଇଥିବା ଜଣାପଡିଛି ।

ଗତବର୍ଷ  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଯାଇ ସେଠାରେ ମନ୍ଦିରର ଶିଳାନ୍ୟାସ କରିଥିଲେ । ଯାହା ପରେ ଅଯୋଧ୍ୟା ରାମ ମନ୍ଦିରର ରୂପରେଖ ସାମ୍ନାକୁ ଆସିଥିଲା । ଏଥିରେ ଏହି ଭବ୍ୟ ମନ୍ଦିର କିପରି ଦିଶିବ ସେନେଇ ଦର୍ଶାଯାଇଥିଲା । ଏହାସହ ଅଯୋଧ୍ୟାର ରାମ ମନ୍ଦିର ଭକ୍ତଙ୍କ ଅନୁଦାନରେ ହେବ ବୋଲି କୁହାଯାଇଥିଲା । ଯାହାପରେ ସ୍ୱେଚ୍ଛାସେବୀମାନେ ୫ ଲକ୍ଷ ଗାଁକୁ ବୁଲି ସେଠାରୁ ଅନୁଦାନ ସଂଗ୍ରହ କରିବା ସହିତ ଏବେ ଏହାକୁ ଟ୍ରଷ୍ଟରେ ଦାଖଲ କରିଛନ୍ତି ।