ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲା ହିନ୍ଦୁ ମହାସଭା । କଂଗ୍ରେସର ନାମ ବଦଳାଇ ‘ଗଡସେବାଦୀ କଂଗ୍ରେସ’ ରଖିବାକୁ ପରାମର୍ଶ ।

422

କନକ ବ୍ୟୁରୋ : ହିନ୍ଦୁ ମହାସଭା ନେତା ବାବୁଲାଲ ଚୌରାସିଆ କଂଗ୍ରେସରେ ଯୋଗ ଦେବା ପରେ କଂଗ୍ରେସ ଭିତରେ କନ୍ଦଳ ଆରମ୍ଭ ହୋଇଯାଇଛି । ଏହାକୁ ନେଇ ଦଳର ବରିଷ୍ଠ ନେତାମାନେ ଅସନ୍ତୁଷ ଜାହିର କରୁଥିବା ବେଳେ ହିନ୍ଦୁ ମହାସଭା ପକ୍ଷରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି । ଏହି ଚିଠିରେ ଉଲ୍ଲେଖ ରହିଛି କି ‘ଏବେ ସମୟ ଆସିଛି କଂଗ୍ରେସ ଦଳର ନାମ ବଦଳାଇ ଏହାକୁ ଗଡସେବାଦୀ କଂଗ୍ରେସ ଲେଖାଯିବା ଦରକାର’ ।

ହିନ୍ଦୁ ମହାସଭାର ମହାମନ୍ତ୍ରୀ ବିନୋଦ ଯୋଷୀ ଏହି ଚିଠି ଲେଖିଛନ୍ତି । ସେଥିରେ ଉଲ୍ଲେଖ କରିଛନ୍ତି କି କଂଗ୍ରେସ ଏବେ ତାର ଭୂୁଲ ସ୍ୱୀକାର କରିଛି । ଗାନ୍ଧୀବାଦୀ କଂଗ୍ରେସ ଏବେ ଗାନ୍ଧୀଙ୍କୁ ହତ୍ୟା କରିଥିବା ଗଡସେଙ୍କ ବିଚାରଧାରାକୁ ସ୍ୱୀକାର କରିଛି । ସେ ଆହୁରି ଲେଖିଛନ୍ତି କି ଗୁୱାଲିୟରରେ ନାଥୁରାମ ଗଡସେଙ୍କ ମନ୍ଦିର ନିର୍ମାଣ କରିଥିବା ବାବୁଲାଲ ଚୌରାସିଆଙ୍କୁ କଂଗ୍ରେସ ଏବେ ଦଳରେ ସାମିଲ କରିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଗାନ୍ଧୀବାଦୀ କଂଗ୍ରେସରେ ସାଧାରଣ ଲୋକେ ରହିବାକୁ ଚାହୁଁନାହାନ୍ତି । ସେଥିପାଇଁ ଦଳର ନାମ ବଦଳାଇ ଏବେ ‘ଗଡସେବାଦୀ’ କଂଗ୍ରେସ ରଖିବାକୁ ଚିଠିରେ ପରାମର୍ଶ ଦିଆଯାଇଛି । ଯାହାଦ୍ୱାରା ଦଳର ରାଜନୈତିକ ସ୍ଥିତାବସ୍ଥା ଠିକ୍ ରହିବା ସହ ଗଡସେବାଦୀ ସଂଗଠନର ଶକ୍ତିବୃଦ୍ଧି ହେବ ।

ସୂଚନା ଥାଉକି, ଫେବୃଆରୀ ୨୬ ତାରିଖ ଦିନ ହିନ୍ଦୁମହାସଭା ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ମଧ୍ୟପ୍ରଦେଶ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ କମଲନାଥଙ୍କୁ ଏକ ଚିଠି ଲେଖିଥିଲେ । ସେଥିରେ କୁହାଯାଇଛି କି ହିନ୍ଦୁ ମହାସଭାର ପରିଷଦ ବାବୁଲାଲ୍ ଚୌରାସିଆଙ୍କୁ କଂଗ୍ରେସ ଦଳରେ ସାମିଲ କରି ନାଥୁରାମ ଗଡସେଙ୍କ ବିଚାରଧାରାକୁ ସ୍ୱୀକାର କରିଛି । ଏହା ହିନ୍ଦୁ ମହାସଭାର ବିଜୟ ବୋଲି ସେ ଚିଠିରେ ଲେଖିଥିଲେ ।
ଏହାର ଉତ୍ତରରେ ବାବୁଲାଲଙ୍କୁ କଂଗ୍ରେସରେ ସାମିଲ କରିଥିବା ଗୁୱାଲିୟର ଦକ୍ଷିଣ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରବୀଣ ପାଠକ ଏକ ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ବାବୁଲାଲ କହୁଛନ୍ତି କି ‘ଯଦି ବାଲ୍ମୀକି ଜଣେ ଡକାୟତରୁ ସନ୍ଥ ହୋଇପାରିଲେ ତ ମୋ ହୃଦୟ କାହିଁକି ପରିବର୍ତ୍ତନ ହେବ ନାହିଁ , ମୁଁ ତ ଜଣେ ସାଧାରଣ ଲୋକ ମୋର ବି ହୃଦୟ ପରିବର୍ତ୍ତ ହୋଇଛି । ଏବେ ମୁଁ କଂଗ୍ରେସରେ ସାମିଲ ହୋଇ ଗାନ୍ଧୀଙ୍କ ଲାଠି ହେବାକୁ ଯାଉଛି’ ।

ସେପଟେ କଂଗ୍ରେସରେ ହିନ୍ଦୁ ମହାସଭା ନେତା ଯୋଗ ଦେବା ପରେ କଂଗ୍ରେସରେ ଫାଟ ଦେଖିବାକୁ ମିଳିଛି । ପୂର୍ବ କେନ୍ଦ୍ରମନ୍ତ୍ରୀ ଅରୁଣ ଯାଦବ ଓ କଂଗ୍ରେସ ନେତା ମାନକ ଅଗ୍ରୱାଲ ଏହାକୁ ଖୋଲା ଖୋଲି ବିରୋଧ କରିଛନ୍ତି । ଏହାସହ ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ବି ବାବୁଲାଲଙ୍କ କଂଗ୍ରେସରେ ଯୋଗ ଦେବାକୁ ନେଇ ସନ୍ତୁଷ୍ଟ ନାହାନ୍ତି । ହେଲେ ସେ ଖୋଲା ଖୋଲି ଭାବେ ବିରୋଧ କରୁ ନାହାନ୍ତି । ଅନ୍ୟପଟେ ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠୀ କମଲନାଥଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।