କମୁନି ବର୍ଷା : ୨୮ରେ ପୁଣି ଘୂର୍ଣ୍ଣିବଳୟ, ୨ ଯାଏ ବର୍ଷା

3,756

କନକ ବ୍ୟୁରୋ : ପାଗ ମେଘୁଆ । କେଉଁ ମୁହୂର୍ତ୍ତରେ ବି ବର୍ଷା ଅଜାଡ଼ିପାରେ । ଅବିଶ୍ରାନ୍ତ ଭାବେ ଜାରି ରହିଛି ବର୍ଷା । ଭୁବନେଶ୍ବରରୁ ବାଲେଶ୍ବର ହେଉ ଅଥବା ପୁରୀରୁ ବଲାଙ୍ଗୀର । ସବୁଠି ଲାଗିରହିଛି ବର୍ଷା । କେଉଁଠି ଲୋକଙ୍କ ଘର ଭିତରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଓ ଡ୍ରେନ୍‌ ବର୍ଷା ଜଳରେ ସମାନ ହୋଇଯାଇଛି । ସ୍ଥିତି ଏମିତି ହୋଇଛି ଯେ ଲୋକେ ଘରୁ ବାହାରିପାରୁ ନାହାନ୍ତି ।

ଘୂର୍ଣ୍ଣିବଳୟ ଓ ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ପୁରୀ, ଖୋର୍ଧା, ଜଗତ୍‌ସିଂହପୁର, କଟକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏଥିସହ କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ‌ଢେଙ୍କାନାଳ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ‌ତେଣୁ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନ(ଏସ୍‌ଆରସି)ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ପରିସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

 

ବର୍ଷା ଲାଗିରହିଥିବାରୁ ମହାନଦୀ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଅପରାହ୍ନ ୩ଟା ସୁଦ୍ଧା ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାବ୍ୟତୀତ ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବଂଶଧାରା, ଋଷିକୂଲ୍ୟା ଓ ଦେବୀ ନଦୀର ଜଳସ୍ତରର ବୃଦ୍ଧି ପାଇଛି। ଉକ୍ତ ନଦୀଗୁଡ଼ିକ ବିପଦ ସଙ୍କେତ ତଳେ ରହିଥିଲେ ମଧ୍ୟ ବର୍ଷା ଲାଗି ରହିଥିବାରୁ ଆଗକୁ ସମସ୍ୟା ସୃଷ୍ଟି ହୋଇପାରେ । ହୀରାକୁଦର ଜଳସ୍ତର ଆଜି ଅପରାହ୍ନ ୩ଟା ସୁଦ୍ଧା‌ ୬୨୯.୯୭ ଫୁଟ୍‌ ରହିଥିବା ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।