ଶାସନକୁ ପ୍ରଭାବୀ କରିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : କର୍ମକ୍ଷେତ୍ରରେ ପ୍ରଭାବହୀନ ଓ ଦୁର୍ନୀତିଗ୍ରସ୍ତଙ୍କୁ ଦିଆଯିବ ଆଗୁଆ ଅବସର

564

କନକ ବ୍ୟୁରୋ : ବିଦା ହେବେ ଅଯୋଗ୍ୟ । ପ୍ରଶାସନକୁ ପ୍ରଭାବୀ କରିବା ପାଇଁ ରାଜ୍ୟ ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଚାକିରି କ୍ଷେତ୍ରରେ ‌‌ଯେଉଁ କର୍ମଚାରୀମାନେ ପ୍ରଭାବ ହୀନ ବା ଅଯୋଗ୍ୟ ବିବେଚିତ ହେଉଛନ୍ତି ଏବଂ ଯେଉଁମାନଙ୍କର ନିଷ୍ଠା ପ୍ରତି ସନ୍ଦେହ ସୃଷ୍ଟି ହେବ, ସେମାନଙ୍କୁ ଆଗୁଆ ଅବସର ପ୍ରଦାନ କରାଯିବ । ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରାଯାଇଛି । ଏଥିରେ କୁହାଯାଇଛି, ଏକ ସମୀକ୍ଷା କମିଟି ଜରିଆରେ ଗ୍ରୁପ୍‌ ଏ, ବି, ସି ଓ ଡି କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାର ସମୀକ୍ଷା ହେବ । ଗ୍ରୁପ୍‌ ଏ ଓ ବି ଏବଂ ଗ୍ରୁପ୍ ସି ଓ ଡି କର୍ମଚାରୀଙ୍କ ପୃଥକ୍ ପୃଥକ୍ କମିଟି ରହିବ । ଏଥିରେ ସରକାରଙ୍କ ପକ୍ଷରୁ ଏକଥା ବି ସ୍ପଷ୍ଟ କରିଦିଆଯାଇଛି ଯେ କୌଣସି କର୍ମଚାରୀଙ୍କୁ ଦଣ୍ଡସ୍ବରୂପ ଆଗୁଆ ଅବସର ଦିଆଯିବ ନାହିଁ । ଏଭଳି ନିଷ୍ପତ୍ତି ନେବା ବେଳେ କେବଳ ସାର୍ବଜନୀନ ସ୍ବାର୍ଥ ରକ୍ଷାକୁ ବିଚାରକୁ ନିଆଯିବ ।

ସାଧାରଣ ପ୍ରଶାସନ ବିଭାଗ ତରଫରୁ ଜାରି କରାଯାଇଥିବା ନିର୍ଦେଶାବଳୀ ଅନୁଯାୟୀ, ଗ୍ରୁପ୍ ଏ ଏବଂ ବି କର୍ମଚାରୀଙ୍କ କ୍ଷେତ୍ରରେ ୩୦ ବର୍ଷର ଚାକିରି, ୫୦ ବର୍ଷ ବୟସ କିମ୍ବା ୫୫ ବର୍ଷ ବୟସକୁ କାର୍ଯ୍ୟଦକ୍ଷତା ମାପିବା ବେଳେ ବିଚାରକୁ ନିଆଯିବ । ଏହି ସମୀକ୍ଷା ବର୍ଷର ମାର୍ଚ ୩୧, ଜୁନ୍ ୩୦ ଏବଂ ସେପ୍ଟେମ୍ବର ୩୦ ଓ ଡିସେମ୍ବର ୩୧ ତାରିଖ ଅନୁସାରେ ଅର୍ଥାତ୍ ଚାରିଥର କରାଯିବ। ସେହିପରି ଗ୍ରୁପ୍ ସି ଓ ଡି କର୍ମଚାରୀଙ୍କ ପାଇଁ ସମୀକ୍ଷା ବର୍ଷର ଜୁନ୍ ୩୦ ଓ ଡିସେମ୍ବର ୩୧ ଅନୁସାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସେବା ସଂହିତାର ଧାରା (କ) ଅନୁସାରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯିବ।

କୌଣସି କର୍ମଚାରୀଙ୍କୁ ଆଗୁଆ ଅବସର ପ୍ରଦାନ କରିବା ପୂର୍ବରୁ ‌କେତେକ ବିଷୟ ବିଚାରକୁ ନିଆଯିବ। ଯେଉଁ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ସନ୍ଦେହ ଥିବ ସେମାନଙ୍କୁ ଅବସର ଦିଆଯିବ। କର୍ମ କ୍ଷେତ୍ରରେ ପ୍ରଭାବହୀନ ଥିବା କର୍ମଚାରୀମାନଙ୍କୁ ମଧ୍ୟ ଅବସର ପୂର୍ବରୁ ବିଦା କରାଯିବ। ‌କର୍ମଚାରୀ ଜଣକ ଯେଉଁ ପଦରେ କାମ କରୁଛନ୍ତି ସେହି ପଦର ଦାୟିତ୍ବ ନିର୍ବାହ କରିବା ଲାଗି ଯଦି ସେ ଶାରୀରିକ ସ୍ତରରେ ସକ୍ଷମ ନଥିବେ କିମ୍ବା ଦକ୍ଷ ନଥିବେ ତେବେ ତାଙ୍କୁ ପ୍ରଭାବହୀନ କର୍ମଚାରୀ ବୋଲି ବିଚାର କରାଯିବ।

 

କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବା ବେଳେ ତାଙ୍କ ସାରା ଚାକିରି ଜୀବନକୁ ବିଚାରକୁ ନିଆଯିବ। କେବଳ ପ୍ରଭାବହୀନ ମାନଦଣ୍ଡରେ ଆଗୁଆ ଅବସର ଦିଆଯିବ ନାହିଁ। ଯଦି କୌଣସି କର୍ମଚାରୀ ନୂତନ ଭାବେ ଅନ୍ୟ ଏକ ପଦକୁ ପଦୋନ୍ନତି ପାଇଥିବେ ଏବଂ ବିଗତ ପାଞ୍ଚ ବର୍ଷର କାର୍ଯ୍ୟକାଳ ଭିତରେ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ଥିବ ତେବେ ତାଙ୍କୁ ଅବସର ଦିଆଯିବ ନାହିଁ। ଯଦି କୌଣସି ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ହଠାତ କମିଯାଇଥିବ ଏବଂ ବର୍ଷକ ପରେ ସେ ଅବସର ନେବାକୁ ଥିବେ ସେଭଳି ପରିସ୍ଥିତିରେ ତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରି ତାଙ୍କୁ ଆଗୁଆ ଅବସର ଦିଆଯାଇପାରିବ।

 

ପ୍ରଶାସନିକ ବିଭାଗ ତରଫରୁ ସମସ୍ତ ସମୀକ୍ଷା ବୈଠକର ବିବରଣୀକୁ ପ୍ରତି ତିନି ମାସରେ ସାଧାରଣ ବିଭାଗକୁ ପ୍ରଦାନ କରିବାକୁ ପଡ଼ିବ। ୫୦ ବର୍ଷ ବୟସ ହୋଇଯାଇଥିବା କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ବେଳେ ସେ ଯଦି ଫିଟ୍‌ ବୋଲି ପ୍ରମାଣିତ ହୁଅନ୍ତି ତେବେ ତାଙ୍କୁ ୫୫ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଆଉ ତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରାଯିବ ନାହିଁ।