ଆଣ୍ଡାମାନରେ ବର୍ଷା, ଓଡିଶାରେ ଥଣ୍ଡା: ଆଗକୁ ପୁଣି ଅନୁଭୂତ ହେବ ହାଡଭଙ୍ଗା ଶୀତ

38

କନକ ବ୍ୟୁରୋ : ଆଣ୍ଡାମାନରେ ବର୍ଷା, ଓଡିଶାରେ ଥଣ୍ଡା । ୫ ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ । ଆଣ୍ଡାମାନ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ୨୪ ଘଂଟା ମଧ୍ୟରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବ । ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜରେ ବର୍ଷା ବି ଆରମ୍ଭ ହୋଇଯାଇଛି । ତେବେ ଆଣ୍ଡାମାନ ସମୁଦ୍ରରେ ଅବପାତ ପ୍ରଭାବରେ ଉତ୍ତର ପଶ୍ଚିମ ଭାରତରୁ ଓଡିଶାକୁ ଥଣ୍ଡା ଓ ଶୁଷ୍କ ପବନ ମାଡିଆସିବାର ସମ୍ଭାବନା ରହିଛି ।

ଆଣ୍ଡାମାନ ଦ୍ୱୀପପୁଂଜରେ ଆସନ୍ତା ୯ ତାରିଖ ଯାଏଁ ବର୍ଷା ଲାଗିରହିବ । ଏନେଇ ସେଠାରେ ଲଘୁଚାପ ଓ ପରେ ଅବପାତ ସୃଷ୍ଟି ହୋଇଥିବାରୁ ବଙ୍ଗୋପସାଗର ଦେଇ ଓଡିଶାରୁ ଥଣ୍ଡା ପବନ ବୋହିବାର ସମ୍ଭାବନା ଅଧିକ । ଏଠାରୁ ଯେତେ ପରିମାଣର ଥଣ୍ଡା ପବନ ଚାଲିଯିବ , ତାଠୁ ଅଧିକ ପରିମାଣର ପବନ ଆସିବ ଉତ୍ତର ପଶ୍ଚିମ ଭାରତରୁ ।

ତେବେ ଦେଶର ଉତ୍ତର ପଶ୍ଚିମରେ ଏବେ ପଶ୍ଚିମବାୟୁ ପ୍ରବାହିତ ହେଉଛି । ଏହା ଦୁଇ ଦିନ ମଧ୍ୟରେ ଅପସରି ଯିବାର ସମ୍ଭାବନା ରହିଛି । ଫଳରେ ଉତ୍ତର ପଶ୍ଟିମ ଦିଗରୁ ଥଣ୍ଡା ପବନ ରାଜ୍ୟ ଭିତରକୁ ଅବାଧ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ଉତ୍ତର ଦିଗରୁ ହିମାଳୟ ଅବବାହିକାରୁ ଥଣ୍ଡା ପବନ ବୋହୁଛି । ୯ ତାରିଖ ବେଳକୁ ଏହା ସହ ଯୋଡି ହୋଇଯିବ ଉତ୍ତର ପଶ୍ଚିମ ଦିଗର ଥଣ୍ଡା ଓ ଶୁଷ୍କ ପବନ ।