ଭଙ୍ଗା ଚାଲିଛି ଏମାର ମଠ : ଶ୍ରୀକ୍ଷେତ୍ରର ସବୁଠୁ ବଡ଼ ମଠର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଜଗିଛନ୍ତି ୧୦ ଫ୍ଲାଟୁନ ଫୋର୍ସ

586

କନକ ବ୍ୟୁରୋ : ଭଙ୍ଗା ଚାଲିଛି ଏମାର ମଠ । ତିନି ମହଲା କୋଠା ଉଛେଦ ପାଇଁ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ପ୍ରଶାସନିକ ଉଚ୍ଚ ଅଧିକାରୀ ଓ ପୁଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ଜାରି ରହିଛି । ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ଘଟଣାସ୍ଥଳରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । କାକୁଡିଖାଇ ଛକରୁ ଆଗକୁ ଟ୍ରାଫିକ କଟକଣା ଜାରି ରହିଛି, ସେହିବାଟ ଦେଇ କାହାରିକୁ ଯିବାକୁ ଦିଆଯାଉ ନାହିଁ ।

ଗତକାଲି ପ୍ରଶାସନ ଉପସ୍ଥିତିରେ ଏମାର ମଠର ଅସ୍ଥାୟୀ ଗୁହାଳ ଘର ଉଛେଦ କରାଯାଇଥିଲା । ହିଟାଚି ଓ ବୁଲଡୋଜର ଲଗାଇ ଏହାକୁ ଭାଂଗିଛି ପ୍ରଶାସନ । ମଠର ମହନ୍ତ ସରକାରଙ୍କ ନୋଟିସ ଗ୍ରହଣ ନକରିବାରୁ ମଠରେ ଏହାକୁ ଲଟକା ଭାବେ ଝୁଲାଇ ଦିଆଯାଇଥିଲା । ଏଥି ସହିତ ଗତକାଲି ମଠରେ ଥିବା ବ୍ରିଟିଶ ଅମଳର ରଘୁନନ୍ଦନ ପାଠାଗାରକୁ ସଂରକ୍ଷଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ସଂରକ୍ଷଣ ପାଇଁ ବହି ସବୁକୁ ସ୍ଥାନାନ୍ତର କରାଯାଇଛି ।

୯ଶହ ବର୍ଷ ପୁରୁଣା ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଶ୍ରୀମନ୍ଦିର ସଂସ୍କୃତି ସହ ଜଡିତ ଓଡିଶାର ସବୁଠାରୁ ପୁରୁଣା ମଠ ମାଟିରେ ମିଶିବାକୁ ଯାଉଛି । ଏମାର ମଠ ବାବଦରେ ସମସ୍ତେ ଅନେକ ଚର୍ଚ୍ଚା ଶୁଣିଥିବେ । ବିଶେଷ କରି ୨୦୧୧ ମସିହାରେ ଏହା ହଠାତ ଚର୍ଚ୍ଚାର ପରିସରକୁ ଆସିଥିଲା । ଯେତେବେଳେ ମଠ ଭିତରେ ମିଳିଥିଲା ରୂପା ଇଟାର ସନ୍ଧାନ । ୧୮ ଟନ୍ ପୁରା ଇଟା ବା ପ୍ରାୟ ୯୦ କୋଟି ଟଙ୍କାର ବିରାଟ ରୂପା ଇଟା ବାହାରିବା ପରେ ଏମାର ମଠକୁ ନେଇ ଚାରିଆଡେ ଚର୍ଚ୍ଚା କରାଗଲା । ପୁରୀ ପରମ୍ପରା ସହ ଜଡିତ ମଠଗୁଡିକର ସଂପତି କଥା ପ୍ରଥମ କରି ସାମ୍ନାକୁ ଆସିଥିଲା । ତେବେ ଜଗନ୍ନାଥ ସଂସ୍କୃତି ସହ ଜଡିତ ଏହି ମଠ ଆଜିରେ ମାଟିରେ ମିଶିବାକୁ ଯାଉଛି ।