ଆଜିଠାରୁ ପୁରୀ ଅଠରନଳାରେ ପୋଲ ଉପରେ ଯାତାୟାତ ବନ୍ଦ :  ପୋଲର ସୁରକ୍ଷା ଦୃଷ୍ଟିରୁ ଲାଗିଲା କଟକଣା; ପୁନରୁଦ୍ଧାର ସହ ହେବ ସୌନ୍ଦର୍ଯ୍ୟକରଣ କାମ

 ପ୍ରାଚୀନ କୀତିରାଜି ଅଠରନଳା ପୋଲକୁ ସୁରକ୍ଷିତ ରଖାଯିବ

188

କନକ ବ୍ୟୁରୋ : ଆଜିଠାରୁ ପୁରୀର ଅଠରନଳା  ପୋଲ ଉପରେ ଯାତାୟତକୁ ବନ୍ଦ କରିଦିଆଯାଇଛି । ଆଜିଠାରୁ ଏହି କଟକଣା ଜାରି କରାଯାଇଛି ।  ପ୍ରାଚୀନ କାର୍ତ୍ତିରାଜି  ଅଠରନଳା ପୋଲକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହାର ପୁନରୁଦ୍ଧାର କରାଯିବା ସହ  ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ ।

ପୁରୀ-କଟକ ବାଇପାସ୍‌ ରାସ୍ତା ପାର୍ଶ୍ବ‌ରେ ରହିଛି ଏହି ଅଠରନଳା। ଯାତାୟ‌ାତର ସୁବିଧା ନ ଥିବା ସମୟ‌ରେ ଗନ୍ଧବତୀ ନଦୀ (ବର୍ତ୍ତମାନର ଗଙ୍ଗୁଆ ନାଳ) ପାର କରି ଭୁବନେଶ୍ବରରୁ ଶ୍ରୀକ୍ଷେତ୍ର ଯିବା ପାଇଁ ପ୍ରାୟ ୧୮ଶହ ଶତାବ୍ଦୀରେ ଏହି ପୋଲ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ତତ୍‌କାଳୀନ ପୁରୀ ମହାରାଜା ଏହି ପୋଲ ନିର୍ମାଣ କରିଥିବା ଲୋକକଥା ରହିଛି। ବ୍ରିଟିସ୍‌ ଅମଳରେ ଏହି ପୋଲ ବଡ଼ ବଡ଼ ପଥରକୁ ଯୋଡ଼ି ବିନା କୌଣସି ସିମେଣ୍ଟ ବା ଅଠାରେ ପ୍ରାଚୀନ ପଦ୍ଧତିରେ ନିର୍ମିତ ହୋଇଛି। ପୋଲର ଦୈର୍ଘ୍ୟ ୨୦୦ ଫୁଟ, ପ୍ରସ୍ଥ ୧୨ ଫୁଟ ଓ ଉଚ୍ଚତା ୩୦ ଫୁଟ ରହିଛି।

ପୂର୍ବରୁ ଏଥିରେ ୧୮ଟି ନଳା ରହିଥିଲେ ବି ସମୟ କ୍ରମେ ୪ଟି ନଳା ବିଲୁପ୍ତ ହୋଇଗଲାଣି। ବତ୍ତର୍ମାନ ୧୪ଟି ନଳା ଦେଇ ଗନ୍ଧବତୀ ନଦୀର ପାଣି ପ୍ରବାହିତ ହେଉଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପୋଲର ଉପର ଅଂଶ ଦବିବାକୁ ଲାଗିଥିବା ବେ‌ଳେ ତଳ ଅଂଶ ପାଣି ସୁଅରେ କ୍ଷୟ ହେବାରେ ଲାଗିଲାଣି। ପଥର ଯୋଡ଼େଇ ସ୍ଥାନରେ ଫାଟ ସୃଷ୍ଟି ହେବାରେ ଲାଗିଲାଣି। ନଦୀରେ ଦଳଭର୍ତ୍ତି ହୋଇ ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ନଳା ସଂଲଗ୍ନ ପାହାଚ ସାରା ଘାସ ଚରିଯାଇଥିବା ବେଳେ ନଳା ବର୍ତ୍ତମାନ ଶ୍ରୀହୀନ ଅବସ୍ଥାରେ ପଡ଼ିରହିଛି।