ସତ ମାନିଲା ପାକିସ୍ତାନ । ଇମ୍ରାନଙ୍କ ମନ୍ତ୍ରୀ କହିଲେ, ପୁଲୱାମା ଆକ୍ରମଣ ସରକାରଙ୍କ ବଡ଼ ସଫଳତା । ସେପଟେ ଅଭିନନ୍ଦନଙ୍କୁ ୬୦ ଘଂଟା ଭିତରେ କାହିଁକି ଛାଡିଲା ପାକିସ୍ତାନ, କହିଲେ ବିରୋଧୀ ସାଂସଦ । ଭାରତର ଆକ୍ରମଣ ଧମକରେ ଥରିଥିଲେ ପାକ ସେନାମୁଖ୍ୟ

527

କନକ ବ୍ୟୁରୋ : ଗତ ବର୍ଷ ଫେବ୍ରୁଆରୀମାସରେ ଭାରତର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମଲାର ସତ ସାମନାକୁ ଆସିଛି । ଏହି ଆକ୍ରମଣ ପଛରେ ପାକିସ୍ତାନ ଅଛି ବୋଲି ଭାରତର ଗୁଇନ୍ଦା ସଂସ୍ଥା ଘଟଣାର ଠିକ ପରେ ପରେ ଠଉରାଇ ନେଇଥିଲା । କିନ୍ତୁ ପାକିସ୍ତାନ ଏହାକୁ ସ୍ୱିକାର କରିନଥିଲା । ଆଜି ଏନେଇ ସବୁଠୁ ବଡ ପ୍ରମାଣ ସାମନାକୁ ଆସିଛି । ପାକିସ୍ତାନର ଜାତୀୟ ସଂସଦରେ ଇମ୍ରାନ ଖାନ ସରକାରଙ୍କ ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି- ପୁଲୱାମାର ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ପାକିସ୍ତାନର ବଡ ସଫଳତା ଥିଲା ।

ସଂସଦରେ ମନ୍ତ୍ରୀ କହିଥିଲେ, ଆମେ ଭାରତ ଭିତରେ ପଶି ଆକ୍ରମଣ କରିଛୁ । ଇମ୍ରାନ ଖାନଙ୍କ ନେତୃତ୍ୱରେ ଏହି ଆକ୍ରମଣ ସଫଳ ହୋଇଛି । ଏହି ବୟାନ ଏକ ବହୁତ ବଡ ପ୍ରମାଣ ହୋଇ ସାମନାକୁ ଆସିଛି । ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର ହାତ ସ୍ପଷ୍ଟ ପ୍ରମାଣିତ ହୋଇଛି । ଗତବର୍ଷ ଫେବ୍ରୁଆରୀ ୧୪ ତାରିଖରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସିଆରପିଏଫ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ସହ ଆଇଇଡି ଭର୍ତି ଏକ କାର ଧକ୍କା କରିଥିଲେ ଜୈସ-ଏ-ମହମ୍ମତର ଆତଙ୍କବାଦୀ । ଆକ୍ରମଣ ପଛରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ହାତଥିବା ଅଭିଯୋଗ କରିଥିଲା ଭାରତ ।

ସେପଟେ ଅଭିନନ୍ଦନଙ୍କୁ ୬୦ ଘଂଟା ଭିତରେ କାହିଁକି ଛାଡିଲା ପାକିସ୍ତାନ, ପାକିସ୍ତାନ ସଂସଦରେ କହିଛନ୍ତି ବିରୋଧୀ ସାଂସଦ । ଅଭିନନ୍ଦନଙ୍କୁ ନ ଛାଡିଲେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଦେବ । ଏହି ଭୟରେ ଅଭିନନ୍ଦନଙ୍କୁ ଛଡାଯାଇଥିଲା ବୋଲି ପାକିସ୍ତାନ ସଂସଦରେ ପିଏମଏଲଏନ ସାଂସଦ ଆୟାଜ ସାଦିକ କହିଛନ୍ତି ।

୨୦୧୯ରେ ପିଓକେରୁ ଅଭିନନ୍ଦନଙ୍କୁ ଗିରଫ କରିଥିଲା ପାକ ସେନା । ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ସାଂସଦଙ୍କୁ ନେଇ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି ଅଭିନନ୍ଦନଙ୍କୁ ନ ଛାଡିଦେବା ପ୍ରସ୍ତାବ ଦେଇଥିଲେ । ଆଉ କହିଥିଲେ ଓକ୍ୱିଙ୍ଗ କମାଣ୍ଡରଙ୍କୁ ମୁକ୍ତନକଲେ ରାତି ସୁଦ୍ଧା ଭାରତ ଆକ୍ରମଣ କରିଦେବ । ଏହାଶୁଣି ପାକିସ୍ତାନ ସେନାଧ୍ୟକ୍ଷ କମର ବାଜୱା ମଧ୍ୟ ଭୟରେ ଥରି ଯାଇଥିଲେ ବୋଲି ସଂସଦରେ କହିଛନ୍ତି ସାଂସଦ ଆୟାଜ ସାଦିକ । ସବୁ ସମୟରେ ଇମ୍ରାନ ସରକାରଙ୍କ ନିଷ୍ପତିକୁ ବିରୋଧୀ ଦଳ ସମର୍ଥନ ଦେଇ ଆସୁଛନ୍ତି, ହେଲେ ଏଣିକି ଏପରି ହେବ ନାହିଁ ବୋଲି ସାଦିକ ସଂସଦରେ କହିଛନ୍ତି ।