ସିସିଟିଭିରେ ଗଣିତ ସାରଙ୍କ ଅଭଦ୍ରାମୀ ! ଘରୋଇ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କଲେ ଶିକ୍ଷକ ।

336

କନକ ବ୍ୟୁରୋ : ପାଠଶାଳାକୁ ବିଦ୍ୟାର ମନ୍ଦିର କୁହାଯାଉଥିବା ବେଳେ ଭୁବନେଶ୍ୱରରୁ ଆସିଥିବା ଏହି ଖବର ଶିକ୍ଷା ବ୍ୟବସ୍ଥାକୁ ଲଜ୍ଜିତ କରିଦେଇଛି । ଶିକ୍ଷକଙ୍କୁ ଭଗବାନଙ୍କର ରୂପ ବୋଲି ଭାବି ଯେଉଁ ବିଦ୍ୟାର୍ଥୀମାନେ ସ୍କୁଲକୁ ପାଠ ପଢିବା ପାଇଁ ଆସିଥାନ୍ତି, ସେହି ଗୁରୁ ଯେ, ଏମିତି ଏକ ଲଜ୍ଜିତ କାରନାମା କରିବେ ତାହା ହୁଏତ ସହଜେ କେହି ବିଶ୍ୱାସ କରିବେ ନାହିଁ । ତେବେ ରାଜଧାନୀ ଭୁବନେଶ୍ୱରରେ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ନେଇ ଅଭିଯୋଗ ହୋଇଛି ।  ଏହି ଅଭିଯୋଗ ଆଣିଛନ୍ତି ୨ ଛାତ୍ରୀଙ୍କ ପରିବାର ଲୋକେ ।

ମିଳିଥିବା ସୂଚନା ଅନୁସାରେ ନାରୟଣୀ ସ୍କୁଲର ଗଣିତ ଶିକ୍ଷକ ୨ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ପରେ ଚନ୍ଦ୍ରଶେଖର ଥାନା ପୁଲିସ ପହଚିଂ ଛାନଭିନ୍ କରିଛି । ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ସମୟର ସିସିଟିଭି ଫୁଟେଜକୁ ମଧ୍ୟ ପୁଲିସ ଜବତ କରିଛି । ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡିଛି । ସେପଟେ ସ୍କୁଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଜଣେ ଗୁରୁଙ୍କର ଏଭଳି କାରନାମା ଗୁରୁ-ଶିଷ୍ୟ ପରମ୍ପରାକୁ କଳୁଷିତ କରିଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।