ଓକିଲଙ୍କ ଆନ୍ଦୋଳନକୁ ନେଇ ସରଗରମ ରାଜନୀତି । ନରସିଂହ କହିଲେ, ଉପୁଜିଛି ସାମ୍ବିଧାନିକ ସଙ୍କଟ ସ୍ଥିତି । ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କ ଆଡକୁ ଆଙ୍ଗୁଳି ଉଠାଇଲେ ଆଇନମନ୍ତ୍ରୀ

ଆନ୍ଦୋଳନକୁ ସ୍ଥଗିତ ରଖିଛି କନେଷ୍ଟବଳ ଓ ହାବିଲଦାର ମହାସଂଘ

107

କନକ ବ୍ୟୁରୋ: ଆଇନଜୀବୀଙ୍କ ଆନ୍ଦୋଳନ ଦିନକୁ ଦିନ ଘନଉଥିବା ବେଳେ ଏବେ ଜୋର ଧରିଛି ରାଜନୀତି । ଘଟଣା ପାଇଁ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଉପରେ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ସେପଟେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଉପୁଜିଛି କହି ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛି କଂଗ୍ରେସ । ଏହାରି ଭିତରେ ଆନ୍ଦୋଳନକୁ ସ୍ଥଗିତ ରଖିଛି କନେଷ୍ଟବଳ ଓ ହାବିଲଦାର ମହାସଂଘ ।

ଆଇନଜୀବୀ ଓ ପୋଲିସ ବିବାଦରେ ରାଜନୀତିର ରଙ୍ଗ ଲାଗିବା ପରେ ସୃଷ୍ଟି ହୋଇଛି ଆହୁରି ସାଂଘାତିକ ହେଉଛି ସ୍ଥିତି । ବିଜେଡି ମୁଖପାତ୍ର ଦେବାଶୀଷ ସାମନ୍ତରାୟ ଆଇନଜୀବୀଙ୍କ ଆନ୍ଦୋଳନ ପାଇଁ ବିଜେପିକୁ ଦାୟୀ କରିବା ସହ ଏକ ରାଜନୈତିକ ଦଳ ଏହାକୁ ଫଣ୍ଡି କରୁଥିବା ଅଭିଯୋଗ କରିଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଓ ବିଜେପିକୁ ଏଥିପାଇଁ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ସେପଟେ ରାଜ୍ୟରେ ସାମ୍ବିଧାନିକ ସଂକଟ ଉପୁଜିଛି ବୋଲି କହିବା ସହ ଏଥିପାଇଁ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏହାରି ଭିତରେ ତିନି ଆଇନଜୀବୀ ଅସିମ ଅମିତାଭ ଦାସ, ମିଲନ୍ କାନୁନଗୋ ଓ ବଂଶୀଧର ଶତପଥୀଙ୍କୁ ବହିଷ୍କାର କରିଛି ବାର ଆସୋସିଏସନ । ଗୋଟିଏ ପଟେ ୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଛନ୍ତି ଆଇନଜୀବୀ ।

ଅନ୍ୟପଟେ କନେଷ୍ଟବଳ ଓ ହାବିଲଦାର ସଂଘ ମଧ୍ୟ ଚେତାବନୀ ପରେ ଚେତାବନୀ ଦେଉଛି । ତେବେ ୪ ତାରିଖରେ ଘୋଷଣା କରାଯାଇଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛି କନେଷ୍ଟବଳ ଓ ହାବିଲଦାର ମହାସଂଘ ।