ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ ପ୍ରସାଦ ହରିଚନ୍ଦନ । କହିଲେ, ୨୦୨୪ ନିର୍ବାଚନ ଲଢିବିନି । 

398

କନକ ବ୍ୟୁରୋ :  ଚଳିତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ କୌଣସି ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇନଥିବା ବେଳେ ଏଥିପାଇଁ ସ୍ଥାନୀୟ ନେତା ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଦାୟୀ ଚର୍ଚ୍ଚା ହେଉଥିଲା । ଏପରିକି ସତ୍ୟବାଦୀ କଂଗ୍ରେସ ଶୂନ୍ୟ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେନେଇ  ସାମ୍ବାଦିକ ସମ୍ମଳନୀରେ ମୁହଁ ଖୋଲିଛନ୍ତି ପ୍ରସାଦ ହରିଚନ୍ଦନ । ପ୍ରସାଦ କହିଛନ୍ତି, ସତ୍ୟବାଦୀକୁ ନେଇ ଗଣମାଧ୍ୟମରେ ଅନେକ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଛି । କିନ୍ତୁ ପ୍ରକୃତ କଥା ହେଲା,  ଶେଷ ମୁହୂର୍ତ୍ତରେ ମୋତେ ପଞ୍ଚାୟତ ନିର୍ବାଚନ ପାଇଁ ଟିକେଟ  ମିଳିଥିଲା । ମୁଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବୁଝୁନଥିବାରୁ ମନା କଲି । ଟିକେଟ କାହାକୁ ମିଳିବ କି ନାହିଁ ତାହାର ଦାୟିତ୍ୱ ପିସିସି ସଭାପତିଙ୍କର । ଦାୟିତ୍ୱ ଦିଆଯାଏ, ନହେଲେ ନିଆଯାଏ । କାହା ଉପରେ ଲଦି ଦିଆଯାଏନି । ସତ୍ୟବାଦୀରେ ୧୯୯୫ ମସହାରୁ ଆମେ ଭଲ ପ୍ରଦର୍ଶନ କରି ଆସିଛୁ ।

ଏହାଛଡା ପ୍ରସାଦ କହିଛନ୍ତି, ମୁଁ ରାଜନୀତିରେ ଥିଲି, ଅଛି ଓ ରହିବି ମଧ୍ୟ । କିନ୍ତୁ ୨୦୨୪ ନିର୍ବାଚନ ଲଢିବି ନାହିଁ । ଯେଉଁମାନେ କହୁଥିଲେ ମୁଁ ବିଜେଡି ସମ୍ପର୍କରେ ଅଛି ସେମାନେ ପ୍ରମାଣ ଦିଅନ୍ତୁ । ମୋ ଘର ହେଉଛି କଂଗ୍ରେସ, ଏଠାରେ ଅଛି, ରହିବି । ଦଳ ପାଇଁ କାମ କରିବି । ମୁଁ କାହା ସହ ଡିଲ୍ କରିନି କି ମୋ ନାଁରେ କୌଣସି ଦୁର୍ନୀତି ଅଭିଯୋଗ ନାହିଁ । ୨୦୦୨ରୁ ମୋତେ ଅନ୍ୟ ଦଳକୁ ନେବାକୁ ଚେଷ୍ଟା କରାଯାଇଛି । କିନ୍ତୁ ମୁଁ ଯାଇନାହିଁ । ଏଠାରେ କଂଗ୍ରେସର ଲଢେଇ ବିଜେପି ଓ ବିଜେଡି ସହ ହେବା କଥା କିନ୍ତୁ ଏଠାରେ ଲଢେଇ କଂଗ୍ରେସର କଂଗ୍ରେସ ସହ ହେଉଛି । ଓଡ଼ିଶାରେ କଂଗ୍ରେସକୁ ଆଗକୁ ନେବାକୁ ହେଲେ ଏକଜୁଟ୍ ହୋଇ ଲଢିବାକୁ ପଡିବ । ମୁଁ ଏଯାଏଁ ଅସ୍ତ୍ର ତ୍ୟାଗ କରିନି । ନିର୍ବାଚନ ଲଢିବିନି କିନ୍ତୁ ଦଳ ପାଇଁ କାମ କରିବି । ମୋ ପାଖରେ ବହୁ ନେତାଙ୍କର ଦସ୍ତାବିଜ ଅଛି, ନିର୍ବାଚନ ପରେ ସେମାନଙ୍କ ଗୁମର ଖୋଲିବି । କିଛି ଏଭଳି କହି ପ୍ରସାଦ ନିଜର ଆଗାମୀ ରାଜନୈତିକ କ୍ୟାରିୟର ବାବଦରେ ସ୍ପଷ୍ଟ କରିଛନ୍ତି ।