ବିହାର ବକ୍ସରରେ ୬ ଜଣଙ୍କ ରହସ୍ୟମୟ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଆଣିଲେ ଅଭିଯୋଗ

86

କନକ ବ୍ୟୁରୋ : ବିହାର ବକ୍ସର ଜିଲ୍ଲାର ଅମସାରୀ ଗ୍ରାମରେ ବୁଧବାର ରାତିରେ ରହସ୍ୟଜନକ ଭାବେ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ବ୍ୟବଛେଦ ପାଇଁ ପଠାଇବା ସହ ଯାଂଚ ଆରମ୍ଭ କରିଛି । ମୃତ୍ୟୁ ହୋଇଥିବା ଲୋକମାନଙ୍କର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି କି ବିଷାକ୍ତ ମଦ ପିଇବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି ।

କହିରଖୁ କି ବିହାରରେ ନିତୀଶ ସରକାର ମଦ ବିକ୍ରି ଉପରେ ବ୍ୟାନ ଲଗାଇଛନ୍ତି । ହେଲେ ଏହା କେବଳ ଆଇନ ବହିରେ ଲିପିବଦ୍ଧ ହୋଇଛି ସିନା ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ଦେଶରେ ସବୁଠାରୁ ଅଧିକ ମଦମୃତ୍ୟୁ ବିହାରରେ ଘଟୁଛି । ଏନେଇ ବକ୍ସର ଏସପି ନୀରଜ କୁମ।।ର କହିଛନ୍ତି କି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ନିତୀଶ ସରକାର ସମୟରେ ବିହାରରେ ମଦମୃତ୍ୟୁ ରେକର୍ଡ ଛୁଇଁଛି । ଏହା ପୂର୍ବରୁ ଜାନୁଆରୀ ୨୨ ତାରିଖରେ ବି ସାରଣ ଜିଲ୍ଲାରେ ବିଷାକ୍ତ ମଦପିଇ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । କେବଳ ସେତିକି ନୁହେଁ ଗତବର୍ଷ ନଭେମ୍ବର ମାସରେ ରାଜ୍ୟର ପଶ୍ଚିମ ଚମ୍ପାରଣ, ଗୋପାଳଗଞ୍ଜ, ମୁଜଫରପୁର ଓ ସମସ୍ତିପୁର ଜିଲ୍ଲାରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

 

କହିରଖୁ କି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ମହିଳାମାନଙ୍କୁ ପ୍ରତିଶୃତି ଦେଇଥିଲେ କି ରାଜ୍ୟରେ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବ । ଏହାପରେ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟରେ ମଦ କାରବାର ଉପରେ ରୋକ ଲାଗିଥିଲା ।