ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କଲେ ଏସଆରସି : ୪ଟି ଜିଲ୍ଲାକୁ ବିପଦ ! ଜାରି ହେଲା ୱାର୍ଣ୍ଣିଂ

2,763

କନକ ବ୍ୟୁରୋ : ବାତ୍ୟା ଜୱାଦ ଆଜି ଅବପାତର ରୂପ ନେବାର ସମ୍ଭାବନା ରହିଛି । ଆସନ୍ତାକାଲି ବେଳକୁ ଏହା ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ ୪ ତାରିଖ ବେଳକୁ ଉତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶାର ଉପକୂଳ ନିକଟବର୍ତ୍ତୀ ହେବ ବୋଲି ଅନୁମାନ କରାଯାଉଛି । ତେବେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ସ୍ଥଳଭାଗ ଛୁଇଁବା ଆଗରୁ ରିକର୍ଭିଂ କରିବ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ‌ଯେ ସମ୍ଭାବ୍ୟ ବାତ୍ୟା କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ ଏବଂ ଏହାର ତୀବ୍ରତା କେତେ ରହିବ ତାହା ଆଜି ସ୍ପଷ୍ଟ ହେବ । ତେବେ ୪ ତାରିଖ ସକାଳେ ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ଅଧିକ ରହିଛି । ପ୍ରଭାବରେ ଆସନ୍ତା ୩ ତାରିଖଠାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ । ୪ ତାରିଖରେ ବର୍ଷା ଓ ପବନର ପରିମାଣ ବଢ଼ିବ । ବାତ୍ୟା ୪ ତାରିଖରେ ଉପକୂଳ ପାଖାପାଖି ହେଲେ ବି ସ୍ଥଳଭାଗ ନ ଛୁଇଁ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବାର ମଧ୍ୟ ସମ୍ଭାବନା ରହିଛି । ଏହା ପ୍ରଭାବରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ଲାଗି ରହିବ ।

ଆସନ୍ତା ୪ ତାରିଖ ସକାଳ ୮ଟାରୁ ୫ ତାରିଖ ସକାଳ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତ୍‌ସିଂହପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟ ମଧ୍ୟରେ ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍‌ ୫ ତାରିଖ ସକାଳଠାରୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ । ତାହାକୁ ନଜରରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ, ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ସତର୍କ କଲେ ଏସଆରସି । ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ଏସଆରସି କହିଛନ୍ତି, ବାତ୍ୟାର ଗତିପଥ ଜଣାପଡିନଥିଲେ ମଧ୍ୟ ୪ ତାରିଖ ସକାଳୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସାଂଗକୁ ଘଂଟାପ୍ରତି ୧୧୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ତେଣୁ ପବନ ସମୟରେ କେହି କଚ୍ଚା ଘରେ ନରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଯଦି କେହି ଘର ଛାଡି ଆଶ୍ରୟସ୍ଥଳୀକୁ ଯିବା ପାଇଁ ନଚାହିଁବେ ସେମାନେ ପବନ ସମୟରେ ନିକଟରେ ଥିବା ଯେକୌଣସି ଛାତ ଘରେ ସୁରକ୍ଷିତ ରହିବାକୁ କହିଛନ୍ତି । ତେବେ ବାତ୍ୟାର ମୁକାବିଲା ପାଇଁ ଏନଡିଆରଏଫ ୨୫ ଟିମ୍ ସଜାଗ ଥିବା ସୂଚନା ଦେଇଛନ୍ତି ଏସଆରସି । ଏବଂ ଆବଶ୍ୟକ ପଡିଲେ ଆହୁରି ୧୦ଟି ଟିମ୍ ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି ।