ରଦ୍ଦ ହେଲା ତିନି କୃଷି ଆଇନ୍ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାରିଲେ ମୋହର 

 ଶୀତ କାଳୀନ ଅଧିବେଶନର ପ୍ରଥମ ଦିନରେ ରଦ୍ଦ ହୋଇଥିଲା ତିନି କୃଷି ଆଇନ୍; ଚାଷୀ ସଂଗଠନରେ ଫାଟ, ଆଜି ହେବାକୁ ଥିବା ବୈଠକ ବାତିଲ୍

128

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ମଙ୍ଗଳବାର ବିବାଦୀୟ ତିନି କୃଷି ଆଇନ୍ ରଦ୍ଦ ହୋଇଛି । ଏଥିସହ ତିନି କୃଷି ଆଇନ ରଦ୍ଦ ନେଇ ଥିବା ସମସ୍ତ ସାମ୍ବିଧାନିକ ପ୍ରକ୍ରିୟା ଶେଷ ହୋଇଛି । ଏହା ପୂର୍ବରୁ ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୨୯ରେ ଲୋକସଭା ଏବଂ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଥିଲା । କ୍ୟାବିନେଟ ମୋହରରୁ ଏହି ବିଲ୍ ପ୍ରତ୍ୟାହାରର ସାମ୍ବାଧାନିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସଂସଦରେ କୃଷି ଆଇନ୍ ପ୍ରତ୍ୟାହାର ବିଲ୍ ପାରିତ ହେବା ବେଳେ ସଂସଦରେ ବିରୋଧୀ ଆଲୋଚନା ପାଇଁ ନାରାବାଜି କରିଥିଲେ ।

କିନ୍ତୁ ବାଚନିକ ଭୋଟ୍ ଜରିଆରେ ଏହି ବିଲ୍ ପାରିତ ହୋଇଥିଲା । ତେବେ କୃଷି ଆଇନ୍ ରଦ୍ଦ ପରେ ବି ଦିଲ୍ଲୀ ସୀମାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନରେ ବସିଛନ୍ତି । ଏମଏସପିକୁ ଗ୍ୟାରେଂଟି ଦେବା ପାଇଁ ଜିଦରେ ଅଡି ବସିଛନ୍ତି ଚାଷୀ । କୃଷି ଆଇନ୍ ରଦ୍ଦ ହୋଇଥିବାରୁ ଚାଷୀ ମାନେ ଆଉ ଆନ୍ଦୋଳନରେ ବସିବାକୁ ରାଜି ନଥିବା ସୂଚନା ରହିଛି । ଏହାରି ଭିତରେ ଆଗାମୀ ରଣନୀତି ନେଇ ଆଜି ବୈଠକ ହେବାର ଥିଲା । କିନ୍ତୁ ଚାଷୀ ସଂଗଠନର ଅନେକ ଗୋଷ୍ଠୀ ଆନ୍ଦୋଳନ ନେଇ ଭିନ୍ନ ମତ ରଖୁଥିବାରୁ ଆଜିର ବୈଠକ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଏନେଇ ବୈଠକ ହେବ ବୋଲି ଜଣାପଡିିଛି ।