ଓଡିଶା ସାଜିଲା ସାବତ ପୁଅ! ପୋଲାଭରମ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ସହ ଆନ୍ଧ୍ରକୁ କ୍ଷମତା ଦେଲା କେନ୍ଦ୍ର

28

କନକ ବ୍ୟୁରୋ : ମହାନଦୀ ବିବାଦ ଥମି ନଥିବାବେଳେ ପୁଣି ମୁଣ୍ଡ ଟେକିଛି ପୋଲାଭରମ ବିବାଦ । ଓଡିଶାକୁ ଝଟକା ଦେଇଛନ୍ତି କେନ୍ଦ୍ର ସରକାର । ସାବତ ପୁଅ ସାଜିଛି ଓଡିଶା । ଆନ୍ଧ୍ର ପ୍ରଦେଶର ସ୍ୱାର୍ଥ ଦୃଷ୍ଟିରୁ ପୋଲାଭରମ ପ୍ରକଳ୍ପର ନିର୍ମାଣ କ୍ଷମତା ରାଜ୍ୟ ସରକାରଙ୍କୁ ଦେବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ଏହି ଘୋଷଣା ଦ୍ୱାରା କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ କ୍ଷମତା ଦେଇଛନ୍ତି। ଏଥିସହ କହିଛନ୍ତି, ପ୍ରକଳ୍ପ ନିର୍ମାଣ ବାବଦରେ ପୁରା ଖର୍ଚ୍ଚ ଏଣିକି କେନ୍ଦ୍ର ସରକାର ଦେବେ । ଖାଲି ଏତିକି ନୁହେଁ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହୁଛନ୍ତି, ଏହା ଆନ୍ଧ୍ର ପ୍ରଦେଶର ସ୍ୱାର୍ଥକୁ ଦେଖି କରାଯାଉଛି। ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର କେବଳ କଣ ଆନ୍ଧ୍ର ପ୍ରଦେଶର ସ୍ୱାର୍ଥ ଦେଖି ଓଡିଶାକୁ ଭୁଲି ଯିବେ?

ଆନ୍ଧ୍ର ପ୍ରଦେଶରେ ନିର୍ମାଣାଧୀନ ଏହି ବୃହତ ପ୍ରକଳ୍ପ ଓଡିଶାର ଏକ ବଡ କ୍ଷତି ଘଟାଇବାର ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ, ଏହି ପ୍ରକଳ୍ପ ଦ୍ୱାରା ୧୫ଟି ରାଜସ୍ୱ ଗ୍ରାମ କ୍ଷତିଗ୍ରସ୍ତ ହେବା ସହ ୬୮୧୮ଟି ପରିବାର ବିସ୍ଥାପିତ ହେବେ । ପ୍ରାୟ ଦୁଇ ହଜାରରୁ ଅଧିକ ହେକ୍ଟର ଜମି ଜଳମଗ୍ନ ହେବ । ପ୍ରଶ୍ନ ଉଠୁଛି, ଏଭଳି କ୍ଷେତ୍ରରେ ଓଡିଶାର ସ୍ୱାର୍ଥ ପ୍ରତି କେନ୍ଦ୍ର ସରକାର କେମିତି ଆଖି ବୁଜି ଦେବେ?

ନିକଟରେ କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ବିଭାଗ ପୋଲାଭରମ ପ୍ରକଳ୍ପ ନେଇ ସଂପୃକ୍ତ ଅଂଚଳରେ ଗ୍ରାମସଭା କରାଯିବା ନେଇ ପ୍ରଶ୍ନ ଉଠାଇଛି। ସେପଟେ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଏଭଳି ପରିସ୍ଥିତିରେ ତରବରିଆ ଭାବେ ଆନ୍ଧ୍ର ପ୍ରଦେଶ ସପକ୍ଷରେ କେନ୍ଦ୍ର ସରକାରଙ୍କ ଏକ ବଡ ପଦକ୍ଷେପ ଓଡିଶାକୁ ଝଟକା ଦେଇଛି।