୨୦୧୯ ଆଗରୁ ବିଜେପି ପାଇଁ ବଢୁଛି ଅଡୁଆ ! କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଓହରିଲେ ଟିଡିପି ସାଂସଦ

26

କନକ ବ୍ୟୁରୋ : ମୋଦିଙ୍କ ହାତ ଛାଡ଼ିଲେ ଚନ୍ଦ୍ରବାବୁ ନାଇଡୁ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି- ଟିଡିପି ମେଂଟରେ ବଡଧରଣ ଫାଟ ସୃଷ୍ଟି ହୋଇଛି । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ସରକାର ରୋକଠୋକ୍ ମନା କରିଦେବା ପରେ, ଏନଡ଼ିଏରୁ ମୁହଁ ଫେରାଇ ନେଇଛି-ଟିଡିପି । ଆଜି ଟିଡିପିର ଦୁଇ ମନ୍ତ୍ରୀ ମୋଦି କ୍ୟାବିନେଟରୁ ଓହରି ଯାଇଛନ୍ତି । ସେପଟେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ଚର୍ଚ୍ଚା ହେଉଛି, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି ସନ୍ତୁଷ୍ଟ ହୋଇ ନାହାଁନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ।

ମୋଦି ସରକାରରୁ ଓହରିଲେ ଦୁଇ ଟିଡିପି ମନ୍ତ୍ରୀ । ସେପଟେ ଆନ୍ଧ୍ରରୁ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରୁ ଓହରିଗଲେ ଦୁଇ ବିଜେପି ମନ୍ତ୍ରୀ । ଫଳରେ ବିଜେପି ଓ ତେଲୁଗୁ ଦେଶମ ପାର୍ଟି ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଗତକାଲି ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରୋକଠୋକ୍ ମନା କରିଦେବା ପରେ ଚରମ ନିଷ୍ପତି ନେଇଛି ଟିଡିପି । ଜେଟଲୀ କହିଛନ୍ତି ୧୪ତମ ଫାଇନାନ୍ସ କମିସନ ସୁପାରିସ ଆଧାରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେଇହେବନି, କେବଳ ସ୍ୱତନ୍ତ୍ର ପ୍ୟାକେଜ୍ ଦେଇପାରିବ କେନ୍ଦ୍ର ।

ସାଧାରଣ ବଜେଟରେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଘୋଷଣା ନହେବାରୁ ତେଲୁଗୁ ଦେଶମ ପାର୍ଟି ସଂସଦରେ ପ୍ରତିବାଦ ଜାରି ରଖିଥିଲା । ଅରୁଣ ଜେଟଲୀ ମନା କରି ଦେବା ପରେ ଏନଡିଏରୁ ଓହରି ଯିବାକୁ ନିଷ୍ପତି ନେଇଛି ଟିଡିପି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ରାଜ୍ୟକୁ ସ୍ୱତନ୍ତ୍ର ପ୍ୟାହ୍ୟା ଦେବା ଦାବି ନେଇ ସେ ୨୯ ଥର ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଆନ୍ଧ୍ର ପ୍ରଦେଶ ଦୁଇ ଭାଗ ହେବା ପରେ ନୂଆ କରି ରାଜ୍ୟ ଗଢିବାକୁ ସହାୟତା ଦେବାକୁ ଅନୁରୋଧ କରିଥିଲେ । ହେଲେ ଦେଇଥିବା ୧୯ଟି ପ୍ରତିଶ୍ରୁତିରୁ ଓହରି ଯାଇଛି କେନ୍ଦ୍ର ସରକାର ।

ସଂସଦରେ ଟିଡିପିର ୧୬ ଜଣ ସାଂସଦ ଅଛନ୍ତି । ଆଉ ଆନ୍ଧ୍ର ବିଧାନସଭାରେ ଅଛନ୍ତି ୪ ଜଣ ବିଜେପି ବିଧାୟକ । କେନ୍ଦ୍ର ସରକାରରୁ ଟିଡିପି ଓହରିଗଲେ ଯେପରି ମୋଦି ସରକାରଙ୍କ କିଛି ଅସୁବିଧା ହେବନାହିଁ । ସେହିପରି ଆନ୍ଧ୍ରରୁ ବିଜେପି ବିଧାୟକ ଓହରିଗଲେ ଚନ୍ଦ୍ରବାବୁଙ୍କ ସରକାରର କିଛି କ୍ଷତି ହେବନାହିଁ । ତେବେ ଟିଡିପି ଓହରିଗଲେ ଏନଡିଏର ଶକ୍ତି କ୍ଷୟ ହେବା ନିଶ୍ଚିତ ।

ଏନଡିଏରୁ ତେଲୁଗୁ ଦେଶମ୍ ପାର୍ଟି ଓହରିଯିବା ନିଷ୍ପତି ମୋଦି ସରକାରଙ୍କ ଉତ୍ତର-ପୂର୍ବ ରାଜ୍ୟର ବିଜୟ ଉଲ୍ଲାସକୁ ଫିକା ପକାଇଦେଇଛି । କାରଣ ଲୋକସଭାରେ ଆନ୍ଧ୍ର ପ୍ରଦେଶର ୨୫ଟି ଆସନ ଥିବା ବେଳେ ସବୁ ଉତ୍ତର-ପୂର୍ବ ରାଜ୍ୟର ମୋଟ ଆସନ ସଂଖ୍ୟା ସେତିକି । ସେପଟେ ଶିବସେନା ମଧ୍ୟ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିସାରିଛି । ଆଜି ପୁଣି ଥରେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ଦାବି ଉଠାଇଛି ଜେଢିୟୁ । ଏହିସବୁ ସମୀକରଣ ଯଦି ଆଗକୁ ଜାରି ରହେ ମୋଦି-ଅମିତ ଶାହଙ୍କ ୨୦୧୯ ଯୋଜନାକୁ ବଡ଼ ଝଟକା ଦେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।