ପ୍ରବଳ ଟେକିଲେ ପ୍ରତାପ ! ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ପ୍ରତାପ ଷଡଙ୍ଗୀ । କଣ କହିଲେ ଶୁଣନ୍ତୁ…

1,640

କନକ ବ୍ୟୁରୋ: ପାର୍ଲାମେଣ୍ଟରେ ପ୍ରବଳ ହସିଲେ ପ୍ରଧାନମନ୍ତ୍ରୀ । ପ୍ରତାପ ଷଡଙ୍ଗୀଙ୍କ କଥା ଓ ଭାଷଣରେ ହସିହସି ବେଦମ ହେଲେ ମୋଦି । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରିବା ବେଳେ ପ୍ରତାପଙ୍କ ଭାଷଣ ଶୁଣି ମୁରୁକି ମୁରୁକି ହସିଛନ୍ତି ମୋଦି । ପ୍ରତାପଙ୍କ ମୁହଁରୁ ନିଜ ପ୍ରଶଂସା ଶୁଣି ପାଟି ଚାପିଚାପି ହସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତେବେ ଗୃହରେ ଧନ୍ୟବାଦ ଭାଷଣରେ ପୂରା ଏକ ଘଣ୍ଟା ମୋଦିଙ୍କ ଗାଥା ଗାଇଥିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଭାଷଣ ଆରମ୍ଭରୁ ଶେଷ ଯାଏଁ ପ୍ରତାପଙ୍କ ପାଟିରେ ପ୍ରଧାନମନ୍ତ୍ରୀ ପ୍ରଶଂସା ଛଡା ଆଉ କିଛି ଶୁଣିବାକୁ ମିଳିନଥିଲା । ତେବେ ଆରମ୍ଭରୁ ବିବେକାନନ୍ଦ (ନରେନ୍ଦ୍ର)ଙ୍କ କଥା କହି ନରେନ୍ଦ୍ର ମୋଦିଙ୍କୁ ପ୍ରବଳ ଟେକିଥିଲେ ପ୍ରତାପ । ମୋଦିଙ୍କୁ ବିକାଶର ବିକଳ୍ପ, ମୋ ସର୍ଦ୍ଦାର କହି ଆରମ୍ଭରୁ ମୋଦିଙ୍କ ଗୁଣ ଗାଇଥିଲେ ପ୍ରତାପ ।

ଓଡିଶାର ଗୋପବନ୍ଧୁଙ୍କ ଦେଶଭକ୍ତିଭରା ଗୀତ ଭଳି ମୋଦିଙ୍କ ଓଜସ୍ୱନୀ ଭାଷଣ ତାଙ୍କୁ ଉତ୍ସାହ ଦିଏ । ସାରା ଭାରତକୁ ଶକ୍ତି ଦିଏ କହି ପ୍ରଶଂସାରେ ପୋତି ପକାଇଥିଲେ । ଆତଙ୍କବାଦ, ଶିକ୍ଷା, ନିଯୁକ୍ତି, ଦେଶଭକ୍ତି ପାଇଁ ତାଙ୍କ ଜୀବନ ସମର୍ପିତ । ସେ ମହିଳାଙ୍କୁ ସମ୍ମାନ ଦିଅନ୍ତି, ସାରା ଭାରତକୁ ନିଜର ପରିବାର ଭାବନ୍ତି ତେଣୁ ତାଙ୍କ ହୃଦୟ କେତେ ବଡ ବୋଲି ଆଜି ଗୃହରେ ଆଉ ମୋଦିଙ୍କ ଆଗରେ ନିଜ ମନର କଥା କହି ପରୋକ୍ଷରେ ପାଖାପାଖି ହେବାକୁ ଚେଷ୍ଟା କରିଛନ୍ତି ପ୍ରତାପ ।

ନୀଳଗିରିର ଯମୁନାମଣୀ, ପଶ୍ଚିମ ଓଡିଶାର ହଳଧର ନାଗ ଓ କଟକର ପ୍ରକାଶ ରାଓଙ୍କ ଭଳି ବ୍ୟକ୍ତିଙ୍କୁ ମୋଦି ହିଁ ଆବିଷ୍କାର କରିପାରନ୍ତି କହି ପାରୁ ପର୍ଯ୍ୟନ୍ତ ପ୍ରଶଂସା କରିଛନ୍ତି ପ୍ରତାପ । ତେବେ ପ୍ରତାପଙ୍କ ଏଭଳି କଥା ଶୁଣି ମୋଦି ମନେ ମନେ ହସିଛନ୍ତି । ବେଙ୍ଗଲ ପ୍ରସଙ୍ଗରେ ମମତାଙ୍କୁ କଟାକ୍ଷ କଲା ବେଳେ ପ୍ରତାପଙ୍କ କଥା ଶୁଣି ପ୍ରବଳ ହସିଛନ୍ତି ମୋଦି । ତେବେ ଗୃହରେ ପ୍ରତାପଙ୍କ ଏଭଳି ଭଷଣକୁ ମୋଦି ମନଭରି ଉପଭୋଗ କରିଛନ୍ତି ।