କାଲିଠାରୁ ପୁରୀକୁ ସ୍ୱାଭାବିକ ହେବ ବସ୍ ସେବା ! ସାମୟିକ ଭାବେ ସ୍ଥଗିତ ରହିଲା ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ

22

କନକ ବ୍ୟୁରୋ : କାଲିଠାରୁ ପୁରୀକୁ ସ୍ୱାଭାବିକ ହେବ ବସ୍ ସେବା । ସାମୟିକ ଭାବେ ସ୍ଥଗିତ ରହିଲା ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ପିପିଲିରେ ବସ୍ ପୋଡି ପରେ ଆଜି ବନ୍ଦ ରହିଥିଲା ଭୁବନେଶ୍ୱର-ପୁରୀ ବସ୍ ସେବା । ସକାଳଠୁ ପୁରୀକୁ ସମସ୍ତ ବସ୍ ଚଳାଚଳ ବନ୍ଦ ରଖିଥିଲା ବସ୍ ମାଲିକ ସଂଘ ।

ଗତକାଲିର ଘଟଣାରେ ୫୦ ଲକ୍ଷ ଟଙ୍କା କ୍ଷତି ହୋଇଥିବା ସଂଘ ଅଭିଯୋଗ କରିଛି । ସେପଟେ ଶ୍ରୀକ୍ଷେତ୍ରକୁ ବସ୍ ନପାଇ ହନ୍ତସନ୍ତ ହୋଇଥିଲେ ଯାତ୍ରୀ । ଦିନ ତମାମ ପୁରୀ ଯିବା ଅପେକ୍ଷାରେ ରାଜଧାନୀ ଭୁବନେଶ୍ୱରରେ ଯାତ୍ରୀ ଅପେକ୍ଷା କରି ରହିଥିଲେ । ଏହାରି ଭିତରେ ବସ୍ ମାଲିକ ସଂଘ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପରିବହନ କମିଶନରଙ୍କୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଜିଦରେ ଅଟଳ ରହିଥିଲା ବସ୍ ମାଲିକ ସଂଘ । କ୍ଷତିପୂରଣ ସହ ତୁରନ୍ତ ବସପୋଡିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ସଂଘ ଦାବି କରିଥିଲା । ଗତକାଲି ପିପିଲି ହାଟଛକରେ ବସ୍ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ୩ଟି ବସକୁ ପୋଡିଦେଇଥିଲେ ଉତ୍ୟକ୍ତ ଲୋକ ।