ସୁନ୍ଦରଗଡରେ ପେଶା ନାଁରେ ଅଣାୟତ ହେଉଛି ପରିସ୍ଥିତି : ଆଇନ ନୁହେଁ ଆନ୍ଦୋଳନକାରୀଙ୍କ ରାଜ୍, ‘ପଥରଗାଡି’ ଗାଁର ନିଜ ସରକାର

41

କନକ ବ୍ୟୁରୋ : ପେଶା ନାଁରେ ଦିନକୁ ଦିନ ଗୁରୁତର ହେଉଛି ସୁନ୍ଦରଗଡ ଜିଲ୍ଲାର ପରିସ୍ଥିତି । କୁତ୍ରା ତହସିଲ ଅଂଚଳର ତରକେରା ପଥରଗାଡିରେ ଆନ୍ଦୋଳନକାରୀ ସରକାରୀ ବାଲିଘାଟକୁ ୧୩ ମାସ ହେଲା ନିଜ କବଜାକୁ ନେଇଛନ୍ତି । ପ୍ରଶାସନକୁ ଗାଁକୁ ପଶିବାକୁ ବାରଣ କରି ଆଦିବାସୀମାନେ ନିଜେ ନିଜ ଗାଁରେ ଶାସନ କରିବା ଆରମ୍ଭ କରିଦେଇଛନ୍ତି । ନିଜ ଗାଁରେ ନିଜ ସରକାର କରିବା ପାଇଁ ଦାବି କରୁଥିବା ଆଦିବାସୀ ପଥରଗାଡି ଗାଁକୁ ପ୍ରଶାସନ ଓ ପୋଲିସକୁ ପ୍ରବେଶ କରାଇ ଦେଉନାହାନ୍ତି ।

ତହସିଲ ଟେଣ୍ଡର କରିଥିବା ଘାଟକୁ ବନ୍ଦ କରି ସେହିଠାରୁ ବାଲି ଉଠାଇବା ବନ୍ଦ କରିଦେଇଥିଲେ । ବାଲିଘାଟକୁ ନିଜ ଅକ୍ତିଆରକୁ ନେଇ ବାଲି ଟ୍ରିପ ପିଛା ଖରାଦିନରେ ୮ଶହ ଟଙ୍କା ଓ ବର୍ଷା ଦିନରେ ୧୮୦୦ ଟଙ୍କାରେ ବିକ୍ରି କରୁଛନ୍ତି । କେବଳ ବାଲି ଘାଟ ନୁହେଁ ସାପ୍ତାହିକ ହାଟକୁ ମଧ୍ୟ ନିଜ କବଜାକୁ ନେଇଛନ୍ତି ଆନ୍ଦୋଳନକାରୀ । ଏବଂ ମାରପିଟ କରି ବଜାର ଟିକସ ନିଜେ ଅସୁଲ କରୁଛନ୍ତି । ଯାହାକୁ ନେଇ ଆଦିବାସୀ ଗାଁଲୋକେ ନୟାନ୍ତ ହୋଇପଡିଛନ୍ତି । ମାଓବାଦୀଙ୍କ ଆନ୍ଦୋଳନ ଭଳି ଆଦିବାସୀ ମାନଙ୍କ ଏହା ଏକ ସୁଚିନ୍ତିତ ଆନ୍ଦୋଳନ ବୋଲି କୁହାଯାଉଛି ।

ସବୁଠାରୁ ବଡ କଥା ହେଲା ଆଦିବାସୀଙ୍କ ଜିଦ ଆଗରେ ଏକପ୍ରକାର ନାଚାର ହୋଇଯାଇଛି ପ୍ରଶାସନ । ଏହାଦ୍ୱାରା ସରକାରଙ୍କ ରାଜସ୍ୱହାନୀ ହେଉଛି । ପ୍ରଶାସନ କିମ୍ବା ତହସିଲଦାର ସେଠାକୁ ଗଲେ ଆଦିବାସୀ ସେମାନଙ୍କୁ ଅଟକ ରଖିଦେଉଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ କଡା ନଜର ରଖିଥିବା କହିଛନ୍ତି ଏସପି ଓ ଜିଲ୍ଲାପାଳ ।

ପଥରଗାଡିକୁ ଯିବାକୁ ପ୍ରଶାସନ ଓ ପୋଲିସକୁ ବାରଣ କରି ନୂଆ ଷ୍ଟାଇଲରେ ନିଜ ଗାଁରେ ଶାସନ କରିବା ଆରମ୍ଭ କରିଛନ୍ତି ।