ମୁଁ ବାହା ହେବି କେଉଁଠି…? ବାହାଘର ‘ଠିକଣା’ ସିଲ୍ ! ମଣ୍ଡପ ସିଲ ପରେ ମୁଣ୍ଡରେ ଚଡକ । କେଉଁଠି କରିବେ ବାହାଘର ଚିନ୍ତାରେ ଅନେକ ପରିବାର

841

କନକ ବ୍ୟୁରୋ: ଦିନ କେଇଟା ପରେ ବାହାଘର । ସମସ୍ତଙ୍କୁ ନିମନ୍ତ୍ରଣ ସରିଛି । କେଉଁଠି ବାହାଘର ହେବ ତାର ଠିକଣ ବି ଦିଆ ସରିଛି । ମାତ୍ର ଏତିକି ବେଳେ ହଠାତ ବୁକ ହୋଇଥିବା ମଣ୍ଡପ ସିଲ ହୋଇଯାଇଛି… ଆଉ ସେହି ଘଟଣା ବାହା ହେବାକୁ ଥିବା ଯୁବକ ଯୁବତୀଙ୍କ ମୁଣ୍ଡରେ ଚଡକ ପକାଇଛି ।

କଲ୍ୟାଣ ମଣ୍ଡପ ଗୁଡିକ ଉପରେ ଏବେ ବିଏମସି ଅଧିକାରୀମାନେ ଘନ ଘନ ରେଡ୍ କରୁଛନ୍ତି । ସିଧା ମଣ୍ଡପରେ ପହଁଚି ସିଲ୍ କରିଦେଉଛନ୍ତି । ପାର୍କିଂ ବ୍ୟବସ୍ଥା ନାହିଁ, ହୋଲଡିଂ ଟ୍ୟାକ୍ସ ଦେଉନାହାଁନ୍ତି, ଏଭଳି କିଛି ଅଭିଯୋଗ କରି ମଣ୍ଡପକୁ ବନ୍ଦ କରି ଦିଆଯାଉଛି । ହଠାତ୍ ପ୍ରଶାସନର ଏଭଳି କଠୋର ଆଭିମୁଖ୍ୟକୁ ଦେଖି ଚିନ୍ତାରେ ପଡିଛନ୍ତି ବିବାହ ଭୋଜି ପାଇଁ ପୂର୍ବରୁ ମଣ୍ଡପକୁ ବୁକ୍ କରିଥିବା ଲୋକ ।

ଫେବ୍ରୁଆରୀ ୧୪ ଅର୍ଥାତ ଭାଲେଣ୍ଟାଇନ୍ ଡେରେ ବାହାଘର । ଏଥିପାଇଁ ସରିଛି କାର୍ଡ ବଂଟା । ବାହାଘର ପାଇଁ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ବି ଆଗେଇ ଚାଲିଛି । ମଟନ ବାଲାଠାରୁ ଆରମ୍ଭ କରି , ମଣ୍ଡପ ପର୍ଯ୍ୟନ୍ତ ଆଗୁଆ ଟଙ୍କା ବି ଦିଆଯାଇଛି । ହେଲେ ଏବେ ପ୍ରତିଦିନ ରାଜଧାନୀର ଗୋଟିଏ ପରେ ଗୋଟିଏ ମଣ୍ଡପ ସିଲ ଖବର ଝିଅ ଘରର ଲୋକଙ୍କ ହୋସ୍ ଉଡାଇ ଦେଇଛି । ବୁକ କରିଥିବା ମଣ୍ଡପ ବିବାହ ପୂର୍ବରୁ ସିଲ ହୋଇଗଲେ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ପରିବାର ଲୋକ ।

ରାଜଧାନୀରେ ବିବାହ ଓ ଅନ୍ୟାନ୍ୟ ଭୋଜି ପାଇଁ ମଣ୍ଡପ ବୁକ୍ କରିଥିବା ବହୁ ଲୋକ ସମସ୍ୟାରେ ପଡଛନ୍ତି । ଯେଉଁମାନେ ଭୋଜି ପାଇଁ ପୂର୍ବରୁ ମଣ୍ଡପ ବୁକ୍ କରିଛନ୍ତି, ସେମାନେ ଏଭଳି ଖବର ଜାଣିବା ପରେ ଚିନ୍ତାରେ ପଡିଛନ୍ତି । ପ୍ରଶାସନର ଅଚାନକ ମଣ୍ଡପ ସିଲ କଟକଣାକୁ ନେଇ ଲୋକଙ୍କ ଭିତରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ଗାଇଡଲାଇନକୁ ଉଲଂଘନ କରିବା ଅଭିଯୋଗରେ ରାଜଧାନୀରେ ବିଭିନ୍ନ କଲ୍ୟାଣ ମଣ୍ଡପକୁ ସିଲ୍ କରୁଛନ୍ତି ବିଏମସି ଓ ବିଡିଏ କର୍ତ୍ତୃପକ୍ଷ । ବିଶେଷ କରି ପାର୍କିଂ ସମସ୍ୟା, ବେଆଇନ ନିର୍ମାଣ ଓ ହୋଲ୍ଡିଂ ଟ୍ୟାକ୍ସ ଦେଉନଥିବା ଅଭିଯୋଗରେ ମଣ୍ଡପ ଗୁଡିକୁ ସିଲ କରୁଛି ପ୍ରଶାସନ । ହେଲେ ବିବାହ ଋତୁ ଚାଲିଥିବାରୁ ଏହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।