ହେଲିକପ୍ଟର ଭଡା ଦିଅ । ପବନହଂସ ବାବଦରେ ରାଜ୍ୟ ସରକାରଙ୍କୁ ଭଡା ମାଗିଲା ପବନହଂସ ।

55

ହେଲିକପ୍ଟର ପାଇଁ ଭଡା ମାଗିଲା ପବନହଂସ କମ୍ପାନୀ । ମାଓବାଦୀ ଦମନ ପାଇଁ ରାଜ୍ୟ ସରକାର ବ୍ୟବହାର କରୁଥିବା ହେଲିକପ୍ଟରର ଭଡା ଦୀର୍ଘ ଦିନ ଧରି ପୈଠ କରିନଥିବାରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା । ପବନହଂସର ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଚିଠି ଅନୁସାରେ ୩୧ ମାର୍ଚ୍ଚ ସୁଦ୍ଧା ରାଜ୍ୟ ସରକାରଙ୍କ ଉପରେ କମ୍ପାନୀର ପ୍ରାୟ ୧୮୬.୩୦ ଲକ୍ଷ ଟଙ୍କା ବାକି ଥିଲା । କିନ୍ତୁ ରାଜ୍ୟ ସରକାର ଏହାକୁ ପୈଠ ନକରିବାରୁ ଏହା ବଢି ଅଗଷ୍ଟ ମାସ ସୁଦ୍ଧା ପ୍ରାୟ ୩୬୨.୫୬ ଲକ୍ଷ ଟଙ୍କାରେ ପହଂଚିଲାଣି ।

Pawan-Hans-crashମାଓ ଦମନ ପାଇଁ କେନ୍ଦ୍ର ସରକାରଙ୍କ ମଂଜୁରୀ ପରେ ୨୦୧୧ ମସିହାରୁ ରାଜ୍ୟ ଏହି ହେଲିକପ୍ଟରକୁ ବ୍ୟବହାର କରିଆସୁଛି । ପ୍ରଥମେ ପବନହଂସ ଏକ ୨୮ ସିଟ୍ ବିଶିଷ୍ଟ ଚପର ରାଜ୍ୟକୁ ଭଡାସୂତ୍ରରେ ଦେଇଥିଲା । କିନ୍ତୁ ୨୦୧୩ ମସିହାରେ ଏଥିରେ ଯାନ୍ତ୍ରିକ ତ୍ରୃଟି ଦେଖାଯିବା ପରେ ଏକ ୮ ସିଟ୍ ବିଶିଷ୍ଟ ହେଲିକପ୍ଟର ଆଣି ସରକାର ବ୍ୟବହାର କରୁଛନ୍ତି ।

ମାଓ ଅପରେସନ ପାଇଁ ଆସିଥିବା ଏହି ହେଲିକପ୍ଟରକୁ ରାଜ୍ୟ ସରକାରଙ୍କ ନେତା ଓ ବାବୁ ଅଧିକାଂଶ ବ୍ୟବହାର କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଏନେଇ ଚିଫ୍ ଆକାଉଣ୍ଟାଟ ଜେନେରାଲ ମଧ୍ୟ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ । ରିପୋର୍ଟ ଅନୁସାରେ ୨୦୧୩ରୁ ୨୦୧୫ ମଧ୍ୟରେ ଏହି ହେଲିକପ୍ଟର ୩୪୧ ଥର ଉଡାଣ ଭରିଥିବା ବେଳେ ମାତ୍ର ୫୩ ଥର ମାଓ ଅପରେଶନରେ ବ୍ୟବହୃତ ହୋଇଥିଲା । ଯାହାକୁ ନେଇ ସିଏଜି ପ୍ରଶ୍ନ ଉଠାଇଥିଲେ । କାରଣ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ନିୟମାବଳୀ ଅନୁଯାୟୀ ଏହି ହେଲିକପ୍ଟରକୁ କେବଳ ଆହତ ଯବାନଙ୍କୁ ସ୍ଥାନାନ୍ତର କରିବା, ଦୁର୍ଗମ ଅଂଚଳକୁ ସେନା ପରିବହନ ଓ ଯବାନଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ଖାଦ୍ୟଦ୍ରବ୍ୟ ପରିବହନ କରାଯାଇପାରିବ ।