ନବୀନଙ୍କ ‘ବିକାଶ’ ଧର୍ମେନ୍ଦ୍ରଙ୍କ ‘ବିକାଶ’ ! ରାଜଧାନୀରେ ଗୋଟିଏ ଦିନରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଶିଳ୍ପ ପ୍ରେମ ! ସଭା ମଝିରେ ପଶିଗଲା ରାଜନୀତି

19

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ସମାନ୍ତରାଳ ଭାବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆୟୋଜନ କରିଛନ୍ତି କନକ୍ଲେଭ । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ପେଟ୍ରୋକେମିକାଲ ଇନଭେଷ୍ଟର୍ସ କନକ୍ଲେଭ ଆୟୋଜନ ହୋଇଥିବା ବେଳେ ରାଜ୍ୟ ସରକାର କରିଛନ୍ତି ମେକ ଇନ ଓଡିଶା କନକ୍ଲେଭ୍ । ଗୋଟିଏ ପଟେ ପୂର୍ବଭାରତରେ ପେଟ୍ରୋକେମିକାଲ୍ ଶିଳ୍ପର ବିକାଶ ପାଇଁ ପେଟ୍ରୋଲିୟମ ମନ୍ତ୍ରାଳୟର ଆୟୋଜନ ଅନ୍ୟପଟେ ରାଜ୍ୟରେ ଶିଳ୍ପର ବିକାଶ ସହ ଅଧିକ ସଂଖ୍ୟାରେ ଇନଭେଷ୍ଟର୍ସ ଆଣିବାକୁ ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡିଶା କନକ୍ଲେଭ୍ । ଏହାରି ଭିତରେ ସାମ୍ନାକୁ ଆସିଛି କେନ୍ଦ୍ର ବନାମ ରାଜ୍ୟ- ତୁତୁ ମେଁମେଁ ।

CM Naveen Slams National Leaders; Says They're Misleading Peopleପସ୍କୋ ଓ ମିତଲ ହାତ ଛାଡିବା ପରେ ପୁଂଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ମେକ୍ ଇନ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକକାଳୀନ ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ ଏହି ସବୁ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । କଳିଙ୍ଗନଗର, ଖୋର୍ଦ୍ଧା, କଟକ, ଭୁବନେଶ୍ୱରରେ ହେବାକୁ ଥିବା ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବ୍ୟୟ ବରାଦ ରହିଛି ୧୧ହଜାର ୬ଶହ ୯୦ କୋଟି ଟଙ୍କା । ଶିଳ୍ପଗୁଡିକ ପାଇଁ ସିଙ୍ଗଲ ଓି୍ୱଣ୍ଡୋ ପୋର୍ଟାଲର ଲଂଚ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ହେଲେ ପ୍ରତ୍ୟକ୍ଷ ଭାବେ ୮ହଜାର ୧୮୭ ଜଣଙ୍କୁ ନିଯୁକ୍ତି ମିଳିବ ।

ଅନ୍ୟପଟେ ଦେଶର ପୂର୍ବ ରାଜ୍ୟଗୁଡିକରେ ପୁଞ୍ଜିନିବେଶ ନିମନ୍ତେ ନିବେଶକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ପେଟ୍ରୋକେମିକାଲ ଇନଭେଷ୍ଟର୍ସ କନକ୍ଲେଭ । ୪୫୦ ରୁ ଅଧିକ ଇନଭେଷ୍ଟର୍ସ ଏଥିରେ ସାମିଲ ହୋଇଥିଲେ । ପ୍ଲାଷ୍ଟିକ ଏବଂ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରୀ ପାଇଁ ଇଡକୋ ସହ ଏମଓୟୁ କରିଛି ଆଇଓସିଏଲ୍ । ଏଥିସହ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲଜିର କ୍ୟାମ୍ପସ ଭୁବନେଶ୍ୱରରେ ଖୋଲିବାକୁ ଆଇସିଟି ସହ ଏବଂ ଓଡିଶାରେ ଟେକ୍ସଟାଇଲ୍ ପାର୍କ କରିବାକୁ ଏମସିପିଆଇ ସହ ଆଇଓସିଏଲ୍ ଏମଓୟୁ ସ୍ୱାକ୍ଷର କରିଛି । ..

ତେବେ ଏସବୁ ଭିତରେ ପେଟ୍ରୋକେମିକାଲ୍ ଇନଭେଷ୍ଟର୍ସ ମିଟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପରସ୍ପର ଉପରକୁ ରାଜନୀତିର ତେରଛା ବାଣ ମାରିଛନ୍ତି । ବିକାଶ ପାଇଁ କେବଳ ପାରାଦ୍ୱୀପକୁ କଣ ପାଇଁ ବଛାଯାଉଛି ତାହା ଉପରେ ପ୍ରଶ୍ନ ଉଠାଇଥିଲେ ପ୍ରଫୁଲ ସାମଲ । ତେବେ କେବଳ ପାରାଦ୍ୱୀପ ନୁହେଁ ଧାମରା ଉପରେ ମଧ୍ୟ ନଜର ଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ପୁଂଜିନିବେଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ପ୍ରଚେଷ୍ଟା ପୁଂଜିନିବେଶ କ୍ଷେତ୍ରରେ ସକରାତ୍ମକ ବାତାବରଣ ସୃଷ୍ଟି କରିବ । ତେବେ ଉଭୟଙ୍କ ମଧ୍ୟରେ ରାଜନୈତିକ ଛକାଫଂଝା ଏଥିରେ ବାଧା ସୃଷ୍ଟି କରିବନାହିଁ ତ?