କାହିଁକ ହଟିଲା ଧାରା ୩୭୦: ୭ରେ କାଶ୍ମୀର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ସେପଟେ ସରକାରଙ୍କ ନିଷ୍ପତ୍ତିକୁ ପ୍ରବଳ ବିରୋଧ

1,073

କନକ ବ୍ୟୁରୋ: ଆଜି ସଂସଦକୁ ସରଗରମ କରିଛି ମୋଦି ସରକାରଙ୍କ ଐତିହାସିକ ନିଷ୍ପତି । ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଧାରା କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଯିବା ପ୍ରସ୍ତାବକୁ କିଛି ଦଳ ସମର୍ଥନ ଜଣାଇଥିବା ବେଳେ ଆଉ କିଛି ଜୋରଦାର ବିରୋଧ କରିଛନ୍ତି ।

ତେବେ ଜମ୍ମୁକାଶ୍ମୀରକୁ ନେଇ କେନ୍ଦ୍ରସରକାର ଐତିହାସିକ ନିଷ୍ପତି ନେବା ପରେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଏହାରି ଭିତରେ ଜମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଜିର ଦିନ ଭାରତୀୟ ଲୋକତନ୍ତ୍ର ପାଇଁ କଳାଦିନ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପରେ ଉପମହାଦ୍ୱିପରେ ଏହାର ଭୟାବହ ପରିଣାମ ହେବ । ଭାରତ ସରକାରଙ୍କ ଆଭିମୁଖ୍ୟ ଏଥିରୁ ସ୍ପଷ୍ଟ ଜଣାପଡୁଛି । ମୋଦି ସରକାର ଚାହୁଁଛନ୍ତି ଜମ୍ମୁକାଶ୍ମୀର ଲୋକ ଆତଙ୍କିତ ହୋଇ ରୁହନ୍ତୁ । କାଶ୍ମୀରକୁ ନେଇ ଭାରତ ନିଜ ପ୍ରତିଶ୍ରୁତ ପୂରଣ କରିବାରେ ବିଫଳ ହୋଇସାରିଛି । ଆଜି ଭାରତୀୟ ଲୋକତନ୍ତ୍ରର ସବୁଡୁ କଳା ଦିନ ବୋଲି ମୁଫତି କହିଛନ୍ତି ।

ପୋଷାକ ଫାଡି ପିଡିପି ସାଂସଦଙ୍କ ପ୍ରତିବାଦ

ସେହିଭଳି ରାଜ୍ୟସଭାରେ ଅମିତ ଶାହାଙ୍କ ବୟାନ ପରେ ପରେ ପିଡିପି ସାଂସଦଙ୍କ ହଙ୍ଗମା । ପିଡିପି ସାଂସଦ ମୀର ମହମ୍ମଦ ଫୟାଜ ଉତକ୍ଷିପ୍ତ ହୋଇ ନିଜ ଡ୍ରେସ ଫାଡିଦେଇଥିବା ଦେଖିବାକୁ ମିଳିଥିଲା ।ଏହାପରେ ଗୃହର ସଭାପତି ତାଙ୍କୁ ଗୃହ ବାହାରକୁ ଚାଲିଯିବାକୁ କହିଥିଲେ । ସେପଟେ କଂଗ୍ରେସ ନେତା ଗୁଲାମନବୀ ଆଜାଦ ବି ଧାରଣାରେ ବସିଥିଲେ ।

ସପା ସାଂସଦ ରାମଗୋପାଳ ଯାଦବ କହିଛନ୍ତି କି, ଏହି ସମ୍ବିଧାନ ସଂଶୋଧନ ତେଣୁ ଏହାକୁ ଏଭଳି ପ୍ରସ୍ତାବ ଜରିଆରେ ହଟାଯାଇପାରିବ ନାହିଁ । ଏଥିପାଇଁ କେବଳ ସମ୍ବାଧାନ ସଂଶୋଧନ କରାଯାଇପାରିବ । ଏହାର ଜବାବ୍ ଦେଇ ଶାହା କହିଛନ୍ତି କି, ଗୃହର ସମସ୍ତ ସଦସ୍ୟଙ୍କୁ ଜାଣିନେବା ଉଚିତ କି ଆମେ ଏହାକୁ ଧାରା ଅନୁସାରେ ହିଁ କହୁଛୁ । ୩୭୦ ଧାରା ଅନ୍ତର୍ଗତ ହିଁ ଏହା ପ୍ରୋଭିଜନ ରହିଛି । ଶାହା କହିଛନ୍ତି, ଧାରା ୩୭୩ରେ ଉଲ୍ଲେଖ ରହିଛି କି, ରାଷ୍ଟ୍ରପତି ପବଲିକ୍ ନୋଟିସ ଅନୁସାରେ ଏହାକୁ ଲାଗୁ ଏବଂ ହଟାଇପାରିବେ । ଅର୍ଥାତ୍ ରାଷ୍ଟ୍ରପତି ମେହୋଦୟଙ୍କର ପବଲିକ୍ ନୋଟିଫିକେସନରୁ ଏହାକୁ ହଟାଇବାର ଅଧିକାର ରହିଛି ବୋଲି କହିଛନ୍ତି ଅମିତ ଶାହା ।

ଧାରା ୩୭୦ ଉଚ୍ଛେଦକୁ ସମର୍ଥନ ଜଣାଇଲା ବିଜେଡି

ଆଜି ରାଜ୍ୟସଭାରେ ଗୃହମନ୍ତ୍ରୀଙ୍କ ଦ୍ୱାରା ଆଗତ ହୋଇଥିବା ଧାରା ୩୭୦ ଉଚ୍ଛେଦକୁ ମଧ୍ୟ ସମର୍ଥନ ଜଣାଇଛି ବିଜେଡି । ଗୃହରେ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି କି, ଦୀର୍ଘ ୭୦ ବର୍ଷ ପରେ କାଶ୍ମୀରବାସୀଙ୍କୁ ସ୍ୱାଧୀନତା ମିଳିଛି । ଭାରତ ଆମର ମାତୃଭୂମି ତେଣୁ ସମର୍ଥନ ଜଣାଇଛୁ ।

୭ରେ କାଶ୍ମୀର ପ୍ରସଙ୍ଗରେ ଉଦବୋଧନ ଦେବେ ମୋଦି

ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଦେଶକୁ କାଶ୍ମୀର ପ୍ରସଙ୍ଗରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୭ ତାରିଖରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି । ତାସହ ମୋଦି ସେହି ଦିନ ସର୍ବଦଳୀୟ ବୈଠକ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ସାଂସଦମାନଙ୍କୁ ମୋଦି ଓ ଶାହା ଭେଟି ଆଲୋଚନା କରିପାରନ୍ତି । ଏହାପରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ ।

ପଂଜାବ, ହରିୟାଣା, ଉତ୍ତରପ୍ରଦେଶ ,ବିହାର.ପଶ୍ଚିମବଙ୍ଗ,ଆସାମ ସମେତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି । ଜମ୍ମୁକାଶ୍ମୀରକୁ ନେଇ ମୋଦି ସରକାର ଐତିହାସିକ ନିଷ୍ପତି ନେଇଛନ୍ତି । କେନ୍ଦ୍ରସରକାରଙ୍କ ଫଇସଲା ପରେ ଜମ୍ମୁକାଶ୍ମୀର ଏବେ କେନ୍ଦ୍ରଶାସିତ ରାଜ୍ୟ ହୋଇଛି । ଆଜି ରାଜ୍ୟସଭାରେ ଅନୁଚ୍ଛେଦ ୩୭୦ ସଙ୍କଳ୍ପ ଆଗତ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କାଶ୍ମୀର ପ୍ରସଙ୍ଗରେ ମୁଁ ସବୁ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି । ସେମାନଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ମୁଁ ପ୍ରସ୍ତୁତ ।

ଜାମ୍ମୁ-କାଶ୍ମୀର ନେଇ କେନ୍ଦ୍ର ସରକାର ଆଜି ବଡ ଫଇସଲା କରିଛନ୍ତି । ଜାମ୍ମୁ-କାଶ୍ମୀରକୁ ନେଇ ୪ଟି ବଡ ନିଷ୍ପତ୍ତି ନେଇଛନ୍ତି । ଘାଟିରୁ ଧାରା-୩୭୦କୁ ହଟାଇଦିଆଯିବା ସହ ରାଜ୍ୟ ମାନ୍ୟତା ହରାଇଛି ଜାମ୍ମୁ-କାଶ୍ମୀର । ଘାଟିକୁ ଦୁଇଭାଗରେ ବିଭକ୍ତ କରିଦିଆଯାଇଛି । ଜାମ୍ମୁ-କାଶ୍ମୀରରୁ ଅଲଗା ହେଲା ଲଦ୍ଦାଖ । ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଂଚଳ କରାଯାଇଥିବାବେଳେ ଲଦ୍ଦାଖକୁ ବି କେନ୍ଦ୍ର-ଶାସିତ ଅଂଚଳ ମାନ୍ୟତା ଦିଆଯାଇଛି । ଜାମ୍ମୁ-କାଶ୍ମୀରରେ ବିଧାନସଭା ରହିବ । କିନ୍ତୁ ବିନା ବିଧାନସଭାରେ ଲଦ୍ଦାଖକୁ କେନ୍ଦ୍ରଶାସନିତ ଅଂଚଳର ମାନ୍ୟତା ମିଳିଛି । ଉଭୟ କେନ୍ଦ୍ରଶାସିତ ଅଂଚଳରେ ଦୁଇଜଣ ଲେଫଟନାଣ୍ଟ ଗଭର୍ଣ୍ଣର ରହିବେ । ଲଦ୍ଦାଖକୁ କେନ୍ଦ୍ରଶାସିତ ଅଂଚଳ କରିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ଆୟତନ ଦୃଷ୍ଟିରୁ ଜାମ୍ମୁ-କାଶ୍ମୀର ବଡ ହେବ । ଉଭୟ କେନ୍ଦ୍ରଶାସିତ ଅଚଂଳରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । ମୋଦି ଏ ନେଇ ଆସନ୍ତା ୭ ତାରିଖରେ ଦେଶକୁ ସମ୍ବୋଧିତ କରିବେ ।