ଇତିହାସ ବଦଳିଲା, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିଲା । ଜାଣନ୍ତୁ ଧାରା ୩୭୦ରେ କେଉଁ ଫାଇଦା ପାଉଥିଲେ କାଶ୍ମୀରବାସୀ, ଯାହା ଅନ୍ୟ କୌଣସି ଭାରତୀୟଙ୍କୁ ମିଳୁନଥିଲା ।

3,883

ଜମ୍ମୁ-କାଶ୍ମୀରକୁ ନେଇ ମୋଦି ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ଜମ୍ମୁ-କାଶ୍ମୀରରୁ ହଟିଛି ଧାରା ୩୭୦ । କେବଳ ଧାରା ୩୭୦ ହଟିନି ବରଂ ଜମ୍ମୁ-କାଶ୍ମୀରକୁ ଭାଗ ଭାଗ କରିଛି କେନ୍ଦ୍ର ସରକାର । ଲଦାଖକୁ ଜମ୍ମୁ-କାଶ୍ମୀର ଠାରୁ ଅଲଗା କରିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।ଏହି ଘୋଷଣା ସହ ଜମ୍ମୁ-କାଶ୍ମୀର ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇଛି । ଜମ୍ମୁ-କାଶ୍ମୀର ମଧ୍ୟ ରାଜ୍ୟ ମାନ୍ୟତା ହରାଇଥିବା ବେଳେ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏନେଇ ରାଜ୍ୟସଭାରେ ଘୋଷଣା କରିବା ପରେ ମୋଦି ସରକାରଙ୍କ ଏହି ନିଷ୍ପତି ନେଇ ପୂରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାକୁ ନେଇ ଗୃହରେ ବିରୋଧୀ ହଙ୍ଗମା କରୁଥିବା ବେଳେ କାଶ୍ମୀର ଘାଟିରେ ଏହାର ପ୍ରଭାବ କଣ ପଡିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ ଭାବେ ଛିଡା ହୋଇଛି ।

ଧାରା ୩୭୦କୁ ଉଚ୍ଛେଦ କରିବା ପୂର୍ବରୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୌଣସି ହିଂସା, ଦଙ୍ଗା ଭଳି ଘଟଣାକୁ ଏଡାଇବା ପାଇଁ କାଶ୍ମୀର ଗତକାଲି ମଧ୍ୟରାତ୍ରିୀରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ କାଶ୍ମୀର କିଛି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିଲା । କାଶ୍ମୀର ଘାଟିରେ ଅଧିକ ସଂଖ୍ୟକ କେନ୍ଦ୍ରୀୟ ସୁରକ୍ଷାବଳଙ୍କୁ ନିୟୋଜିତ କରିବା ପରେ ପୂରା ପର୍ଯ୍ୟଟକ ଓ ବାହାର ଲୋକଙ୍କୁ କାଶ୍ମୀର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ପରେ ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ନେଇ ଘୋଷଣା କରିଥିଲେ ଗୃହମନ୍ତ୍ରୀ ଅମିତ ଶାହା ।

କଣ ଏହି ଧାରା ୩୭୦ ?
ଭାରତରେ ଜମ୍ମୁ-କାଶ୍ମୀର ବିଲୟ ହେବା ପରେ ସେଠାକାର ମହାରାଜା ହରି ସିଂହ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଭେଟିଥିଲେ । ସେତେବେଳେ ଭାରତ ସହ ଜମ୍ମୁ-କାଶ୍ମୀରର ରାଜନୈତିକ ସମ୍ବନ୍ଧ କିଭଳି ରହିବ ସେନେଇ ଆଲୋଚନା କରିଥିଲେ । ଆଉ ଏହି ଆଲୋଚନା ପରେ ଭାରତୀୟ ସମ୍ବିଧାନରେ ଯୋଡି ହୋଇଥିଲା ଧାରା ୩୭୦ । ଏହି ଧାରା ୩୭୦ କାଶ୍ମୀରକୁ ବିଶେଷ ଅଧିକାର ପ୍ରଦାନ କରିଥିଲା । ଏହି ଧାରା ୩୭୦ ଅନୁଯାୟୀ, ଭାରତ ସରକାର କେବଳ କାଶ୍ମୀରର ପ୍ରତିରକ୍ଷା, ବିଦେଶ ନୀତି ଓ ଦୂର ସଂଚାର କ୍ଷେତ୍ରରେ ଆଇନ ଆଣିପାରିବେ । ଏହାଛଡା ଅନ୍ୟ କୌଣସି ବ୍ୟାପାରରେ ଆଇନ ଲାଗୁ କରିବାକୁ ହେଲେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ନିକଟରୁ ଅନୁମତି ନେବାକୁ ପଡୁଥିଲା । ଏପରିକି ୧୯୫୬ରେ ଜମ୍ମୁ-କାଶ୍ମୀରରେ ଭିନ୍ନ ଏକ ସମ୍ବିଧାନ ଆରମ୍ଭ ହୋଇଥିଲା ।

ଧାରା ୩୭୦ରେ ଥିଲା କଣ?
– ଜମ୍ମୁ-କାଶ୍ମୀରବାସୀଙ୍କ ପାଖରେ ଭାରତ ସମେତ କାଶ୍ମୀର ନାଗରିକତା ରହୁଥିଲା
– ଜମ୍ମୁ-କାଶ୍ମୀରର କୌଣସି ମହିଳା ଯଦି ଅନ୍ୟ କୌଣସି ରାଜ୍ୟର ପୁରୁଷଙ୍କୁ ବିବାହ କରୁଥିଲେ ତେବେ ସେହି ମହିଳାଙ୍କର ଜମ୍ମୁ-କାଶ୍ମୀର ନାଗରିକତା ସମାପ୍ତ କରାଯାଉଥିଲା ।
– ଯଦି ଜମ୍ମୁ-କାଶ୍ମୀରର ମହିଳା ପାକିସ୍ତାନର ଯୁବକଙ୍କୁ ବିବାହ କରନ୍ତି ,ତେବେ ତାଙ୍କ ସ୍ୱାମୀଙ୍କୁ ଜମ୍ମୁ-କାଶ୍ମୀରର ନାଗରିକତା ମିଳୁଥିଲା
– ଧାରା ୩୭୦ କାରଣରୁ କାଶ୍ମୀରରେ ରହୁଥିବା ପାକିସ୍ତାନୀଙ୍କୁ ଭାରତୀୟ ନାଗରିକତା ମଧ୍ୟ ମିଳୁଥିଲା
– ଏଠାରେ ଭାରତର ସର୍ବୋଚ୍ଚ ଅଦାଲତର ରାୟକୁ ଗ୍ରହଣ କରାଯାଏ ନାହିଁ । ଏପରିକି ଏଠାରେ ଭାରତର ରାଷ୍ଟ୍ରୀୟ ଧ୍ୱଜକୁ ଅପମାନ କଲେ ମଧ୍ୟ ଏହାକୁ ଅପରାଧ ବୋଲି ବିବେଚନା କରାଯାଏ ନାହିଁ ।
– ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପତାକା ରହିଛି
– ଜମ୍ମୁ-କାଶ୍ମୀରରେ ରାଜ୍ୟ ବାହାରର ଲୋକ ଜମି କିଣିପାରିବେ ନାହିଁ
– କାଶ୍ମୀରରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁ ଓ ଶିଖଙ୍କୁ ସଂରକ୍ଷଣ ମିଳିନଥାଏ
– ଜମ୍ମୁ-କାଶ୍ମୀରରେ ଆରଟିଆଇ ନିୟମ ଲାଗୁ ହୁଏ ନାହିଁ
– ଜମ୍ମୁ-କାଶ୍ମୀରରେ ପଞ୍ଚାୟତ ପାଖରେ କୌଣସି ଅଧିକାର ନଥାଏ
– ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜମ୍ମୁ-କାଶ୍ମୀର ପାଇଁ କେନ୍ଦ୍ର ସରକାରଙ୍କୁ ଆଇନ ଆଣିବାକୁ ପଡିଥାଏ