ଆର୍ଥିକ ସଙ୍କଟ ମଧ୍ୟରେ ବେହାଲ ପାକିସ୍ତାନ । ଅନ୍ଧାରରେ ବୁଡିଛି ପୂରା ଦେଶ । ଫେଲ ମାରିଲା ପାୱାର ସିଷ୍ଟମ ।

281

କନକ ବ୍ୟୁରୋ: ଗୋଟେ ପରେ ଗୋଟିଏ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଭୟଙ୍କର ଅର୍ଥନୈତିକ ସଙ୍କଟ ଓ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବାରେ ଅସମର୍ଥ ହେଉଥିବା ପାକିସ୍ତାନ ପାଇଁ ଏବେ ଆଉ ଏକ ବଡ ସଙ୍କଟ ଦେଖାଦେଇଛି । ଦେଶରେ ପାୱାର ସିଷ୍ଟମ ଫେଲ୍ ମାରିବା ଫଳରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି । ଇସଲାମବାଦ, ଲାହୋର, କରାଚି ଭଳି ବଡ ବଡ ସହରରେ ଏହି ସମସ୍ୟା ଉପୁଜିଛି ।

  • ଅନ୍ଧାରରେ ବୁଡ଼ିଛି ପାକିସ୍ତାନ
  • ଫେଲ୍ ମାରିଲା ପାୱାର ସିଷ୍ଟମ୍
  • ପୂରା ଦେଶରେ ବିଜୁଳି ଗାଏବ
  • ଗ୍ରୀଡ୍ ବିଫଳତା ପାଇଁ ବିଜୁଳି ସଙ୍କଟ

ପାକିସ୍ତାନରେ ସୋମବାର ସକାଳୁ ହଠାତ୍ ଠପ୍ ହୋଇଗଲା ବିଦ୍ୟୁତ୍ ସେବା । ପୂରା ଦେଶ ଏବେ ଅନ୍ଧାରରେ ବୁଡିଯାଇଛି । ଘରଠୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅଫିସ୍ ସବୁଆଡ଼େ ହଠାତ୍ ଚାଲିଗଲା ବିଦ୍ୟୁତ୍ । ଜାତୀୟ ହାଇଟେନସନ୍ ଟ୍ରାନ୍ସମିସନ ଲାଇନରେ ତ୍ରୁଟି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଚାଲିଯାଇଛି । ପାକିସ୍ତାନ ଶକ୍ତି ମନ୍ତ୍ରାଳୟ ସୂଚନା ଅନୁସାରେ ସୋମବାର ସକାଳ ୭ଟାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଏନେଇ ମରାମତି ଚାଲିଥିବା କହିଛି ଶକ୍ତି ମନ୍ତ୍ରାଳୟ । ଗୋଟେ ପଟେ ଯେତେବେଳେ ପାକିସ୍ତାନର ଅବସ୍ଥା ପୁରା ବେହାଲ ହୋଇପଡିଛି, ଦେଶ ଘୋର ଆର୍ଥିକ ସଂଙ୍କଟ ଦେଇ ଗତି କରୁଛି, ଦରଦାମ୍ ଚରମସୀମାରେ ପହଞ୍ଚିଛି, ସେତେବେଳେ ଏହି ବିଜୁଳି ସଙ୍କଟ ଲୋକଙ୍କ ପାଇଁ ବୋଝ ଉପରେ ନଳିତାବିଡା ପାଲଟିଛି ।

  • ବାଲୁଚିସ୍ତାନର ୨୨ ଜିଲ୍ଲାରେ ବିଜୁଳୀ ଠପ୍
  • ଇସଲାମାବାଦ, କରାଚି ଓ ଲାହୋର ବି ପ୍ରଭାବିତ

ପାକିସ୍ତାନ ରାଜଧାନୀ ଇସଲାମାବାଦ, କରାଚି, ଲାହୋର ସମତେ ଅନେକ ଅଞ୍ଚଳରେ ଏବେ ବିଦ୍ୟୁତ୍ ନାହିଁ । କେବଳ ସେତିକି ନୁହେଁ କ୍ୱେଟା ସମେତ ବାଲୁଚିସ୍ତାନର ୨୨ ଜିଲ୍ଲାରେ ବି ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି । ବିଦ୍ୟୁତ୍ ସରବରାହ ଠପ୍ ହୋଇଥିବା ଯୋଗୁଁ ମେଟ୍ରୋ ସେବା ପ୍ରଭାବିତ ହୋଇଛି । ଯାହାଫଳରେ ଯାତ୍ରୀ ମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି । ସେହିପରି ଇସଲାମବାଦର ବିଦ୍ୟୁତ୍ ଯୋଗାଣ କମ୍ପାନୀର ୧୧୭ଟି ଗ୍ରୀଡ ଯୋଗାଣ ବ୍ୟାହତ ହୋଇ ସମଗ୍ର ସହରକୁ ଅନ୍ଧାରରେ ବୁଡାଇଛି । ସରକାରଙ୍କ ପକ୍ଷରୁ ଲୋକଙ୍କୁ ପାୱାର ସେଭିଂ କରିବାକୁ ଅନୁରୋଧ କରାଯାଇଛି । ସେହିପରି ସପିଂ ମଲ, ମୁଖ୍ୟ ବଜାର ସମସ୍ତଙ୍କୁ ସମୟ ପୂର୍ବରୁ ରାତି ୮ଟା ଭିତରେ ବନ୍ଦ କରିବାକୁ ଅନୁରୋଧ କରୁଛନ୍ତି ସରକାର । ସେପଟେ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ପରେ ସୋସିଆଲ ମିଡିଆରେ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ସରକାରଙ୍କୁ ଟାଗେର୍ଟ କରି ଦେଶରେ ପାୱାର ସିଷ୍ଟମ ଫେଲ ମାରିଥିବା ନେଇ ବିଭିନ୍ନ ପୋଷ୍ଟ ସୋସିଆଲ ମିଡିଆରେ ଶେୟାର କରିଥିବା ଦେଖିବାକୁ ମିଳିଛି ।

ପାକିସ୍ତାନ ଏହା ପ୍ରଥମଥର ପାଇଁ ନୁହେଁ, ପୂର୍ବରୁ ମଧ୍ୟ ଅକ୍ଟୋବରରେ ଏକ ବଡ଼ଧରଣର ବିଦ୍ୟୁତ୍ ସଙ୍କଟର ସାମ୍ନା କରିଥିଲା ଦେଶ । ସେତେବେଳେ ଲାହୋର ଓ କରାଚୀ ଦୁଇ ବଡ ସହରରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ କାଟ ହେଉଥିଲା ଏବଂ ଅନେକ ଅଞ୍ଚଳ ଅନ୍ଧାରରେ ବୁଡିଥିଲା । ଏବେ ଆର୍ଥିକ ସଙ୍କଟ ଭିତରେ ବିଦ୍ୟୁତ୍ କାଟ୍ ଲୋକଙ୍କୁ ନାହିଁନଥିବା ଅସୁବିଧାରେ ପକାଇଛି ।