ପୁରୀରେ ପାକିସ୍ତାନୀ । ଶ୍ରୀଜୀଉଙ୍କୁ ଦର୍ଶନ କଲେ ପାକିସ୍ତାନରୁ ଆସିଥିବା ଶତାଧିକ ଶ୍ରଦ୍ଧାଳୁ, ଚକାଆଖି ଦେଖି ହେଲେ ବିଭୋର

84

କନକ ବ୍ୟୁରୋ : ପୁରୀରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ପହଂଚିଛନ୍ତି ପାକିସ୍ତାନୀ । ଜଗନ୍ନାଥ ଧାମରେ ଶତାଧିକ ପାକିସ୍ତାନୀ ଭକ୍ତ ପହଂଚିବା ପରେ ଚର୍ଚ୍ଚା ଜୋର ଧରିଛି । ଆତଙ୍କବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ପଡୋଶୀ ପାକିସ୍ତାନରୁ ଆସିଥିବା ହିନ୍ଦୁ ଭକ୍ତମାନେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । କରାଚି, ସିନ୍ଧ ଓ ଅନ୍ୟାନ୍ୟ ପ୍ରଦେଶରୁ ୧୨୬ ଜଣ ହିନ୍ଦୁ ଭକ୍ତ ପୁରୀରେ ପହଂଚିବା ପରେ ବେଶ ଉତ୍ସାହିତ ହୋଇଛନ୍ତି । ଭକ୍ତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେଖିବା ପରେ ଏମାନେ ଭାବବିହ୍ୱଳ ହୋଇପଡିଛନ୍ତି ।

ପାକିସ୍ତାନ ସରକାର ଏହି ହିନ୍ଦୁ ଭକ୍ତମାନଙ୍କୁ ସବୁ ପ୍ରକାର ସହାୟତା କରୁଛନ୍ତି । ଏବଂ ଭାରତ ସରକାର ମଧ୍ୟ ଏମାନଙ୍କୁ ଭିସା ପ୍ରଦାନରେ ସହାୟତା କଲେ ପ୍ରତିବର୍ଷ ଏମାନେ ଶ୍ରୀକ୍ଷେତ୍ର ଆସି ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ବୋଲି କହିଛନ୍ତି । ତେବେ ପ୍ରଥମଥର ଏପରି ଭାବରେ ଏତେ ସଂଖ୍ୟାରେ ପାକିସ୍ତାନୀ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ରତ୍ନ ସିଂହସନରେ ଦର୍ଶନ କରିଛନ୍ତି । ସେମାନେ ଠାକୁରଙ୍କୁ ଦର୍ଶନ କରି ଧନ୍ୟ ହୋଇଛନ୍ତି ବୋଲି ଅନେକ ନିଜର ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି ।