ମୁକୁଳା ନଦୀବନ୍ଧକୁ ବନ୍ୟା ଡର : ଆତଙ୍କିତ ହୋଇପଡିଛନ୍ତି କେନ୍ଦ୍ରାପଡା ଓ ଜଗତସିଂହପୁର ନଈକୁଳିଆ ଲୋକ

91

କନକ ବ୍ୟୁରୋ : ବନ୍ୟା ଆସିଲେ ସଚିବାଳୟରେ ଭାଲେଣି ପଡେ । ଏବେ ବର୍ଷା ରୁତୁ, ମୌସୁମୀ ବର୍ଷା ବନ୍ୟା ଆଣିପାରେ । ହେଲେ ବନ୍ୟା ମୁକାବିଲା ନେଇ ପ୍ରଶାସନିକ ଅବହେଳା ଲୋକଙ୍କୁ ଆତଙ୍କିତ କରିଛି । ଜଗତସିଂହପୁର ଜିଲ୍ଲାର ବହୁ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ରହିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାର ବହୁ ନଦୀ ବନ୍ଧ ମୁକୁଳା ପଡିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଦେବୀ ନଦୀର ବିଭିନ୍ନ ସ୍ଥାନରେ ଦୁର୍ବଳ ହୋଇଛି ନଦୀ ବନ୍ଧ । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି । ଦେବୀ ନଦୀର ୪ଟି ସ୍ଥାନ ଭଣ୍ଡିସାହି, ଶ୍ରୀବନ୍ତପୁର, ପଲିରିବାଙ୍କ ଓ ପୋଦରୁଅାଁ ବନ୍ଧର ଅନେକ ସ୍ଥାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ନଦୀ ବନ୍ଧର ସୁରକ୍ଷା ଓ ମରାମତି ପାଇଁ ସରକାର ବ୍ୟାପକ ଅର୍ଥ ବ୍ୟୟ କରୁଛନ୍ତି । ହେଲେ ଏହାର ସୁଫଳ ମିଳୁନଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା । କେତେକ ସ୍ଥାନରେ ଲୋକଦେଖାଣିଅାଁ ବନ୍ଧ ମରାମତି କରାଯାଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ନଦୀବନ୍ଧ ମରାମତି କରାଯାଇଥିବା କହିଛନ୍ତି ।

ସେପଟେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ବିଭିନ୍ନ ଗାଁରେ ନଦୀବନ୍ଧ ମୁକୁଳା ପଡିଛି । ତେଣୁ ନଈକୁଳିଆ ଲୋକେ ଭୟରେ ଦିନ କାଟୁଛନ୍ତି । ବନ୍ୟା ହେଲେ ଗୋବର୍ଦ୍ଧନପୁର, ଜୁନଗଡି, କ୍ଷୀରକୋଟ, ରାଜଗଡ ଭଳି ଗାଁ ଜଳବନ୍ଦୀ ହେବା ନଜିର ରହିଛି । ତେଣୁ ତୁରନ୍ତ ନଦୀବନ୍ଧର ମରାମତି କରିବାକୁ ଦାବି ହୋଇଛି । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ପ୍ରଶାସନ ଲୋକଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇଦେବ ।

ମୌସୁମୀ ବର୍ଷା ବନ୍ୟା ଆଣିପାରେ । ମୁକୁଳା ନଦୀ ବନ୍ଧ ଦେଇ ବନ୍ୟା ପାଣି ଗାଁକୁ ପଶି ବ୍ୟାପକ କ୍ଷୟକ୍ଷତି ବି ଘଟାଇପାରେ । ତେଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ଦୁର୍ବଳ ଓ ମୁକୁଳା ନଦୀବନ୍ଧର ମରାମତି କରିବାକୁ ଦାବି ହେଉଛି ।