ରାଗିଂ କଲେ, ପରୀକ୍ଷାରୁ ବାଦ ପଡିଲେ । ବୁର୍ଲା ଘଟଣାରେ ୧୦ ଛାତ୍ରଙ୍କ ଉପରେ ଲାଗିଲା ବର୍ଷେ ଯାଏଁ ପ୍ରତିବନ୍ଧକ

ମହଙ୍ଗା ପଡିଲା ରାଗିଂ ।

1,200

କନକ ବ୍ୟୁରୋ : ମହଙ୍ଗା ପଡିଲା ରାଗିଂ । ବୁର୍ଲା ଭିଏସଏସ ବୈଷୟିକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କୁ ରାଗିଂ ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ମିଳିଥିବା ସୂଚନା ଅନୁସାରେ, କିଛି ଛାତ୍ର ନିଜର ଜୁନିୟର ଛାତ୍ରଙ୍କୁ ଅନ୍ତବସ୍ତ୍ର ପିନ୍ଧି ନାଚିବା ପାଇଁ ବାଧ୍ୟ କରିଥିଲେ । ତେବେ ଏହି ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବା ସହ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ବାରମ୍ବାର ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେବା ପରେ କର୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଛି କଡା କାର୍ଯ୍ୟାନୁଷ୍ଠାନ । ରାଗିଂରେ ସମ୍ପକ୍ତ ଥିବା ଛାତ୍ରଙ୍କୁ ଏକ ବର୍ଷ ଲାଗି ପରୀକ୍ଷାରୁ ବଂଚିତ କରାଯାଇଥିବା ନେଇ ରହିଛି ସୂଚନା ।

ତେବେ ବର୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ୧୦ ଛାତ୍ରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କେବଳ ଏତିକି ନୁହେଁ ବରଂ ରାଗିଂରେ ସାମିଲ ଥିବା ୫୨ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ ହୋଇଛି । ବିଶ୍ୱବିଦ୍ୟାଳୟର ଶୃଙ୍ଖଳା କମିଟିର ଅନୁଧ୍ୟାନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗଣମାଧ୍ୟମରେ ଭିଡିଓ ଭାଇରାଲ ହେବା ପରେ କୁଳପତି ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ ।