ଫେସବୁକରେ ଫଟୋ ଦେଖି ପ୍ରେମ ନିବେଦନ ! ଅରାଜି ହେବାରୁ ଯୁବତୀଙ୍କ ଘରେ ପହଂଚିଗଲେ ଯୁବକ

29

କନକ ବ୍ୟୁରୋ : ସୀମା ଲଂଘିଲେ ଯୁବକ । ଜଣେ ଯୁବତୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ଗଲେ ଜେଲ୍ । ହେଲେ ବେଲରେ ଆସିବା ପରେ ସୁଧୁରିବା ପରିବର୍ତ୍ତେ ପୁଣି ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଉଥିବା ଅଭିଯୋଗ । ଘଟଣାଟି ଘଟିଛି ଭୁବନେଶ୍ୱରରେ । ତେବେ ଦୁଇ ବର୍ଷ ହେଲା ମାନସିକ ଚାପରେ ଥିବା ପୀଡିତା ଜଣକ ଶେଷରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । ଆଉ ଆଇନ୍ ବ୍ୟବସ୍ଥାରେ ଥିବା ଗଳିବାଟ କିଭଳି ଜଣେ ଯୁବତୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ତାର ସତ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଅଭିଯୁକ୍ତ ସୁବୁଧି କାଣ୍ଡି କନେଷ୍ଟବଳ ଭାବେ ଅଗ୍ନିଶମ ବିଭାଗରେ ଚାକିରି କରନ୍ତି । ପ୍ରଥମେ ଫେସବୁକରେ ଯୁବତୀଙ୍କୁ ଦେଖି ଫ୍ରେଣ୍ଡ୍ ରିିକ୍ୱେଷ୍ଟ ପଠାଇଥିଲେ ଯୁବକ । ହେଲେ ଯୁବତୀ ଜଣକ ଏହାକୁ ଗ୍ରହଣ ନକରିବାରୁ ସିଧା ଘରେ ପହଂଚିଯାଇଥିଲେ । ଏପରିକି ଯୁବକଙ୍କ ପରିବାର ସଦସ୍ୟ ଏଥିରେ ତାଙ୍କୁ ସହାୟତା କରୁଥିବା ଓ ଯୁବତୀଙ୍କୁ ହାଇରାଣ କରୁଥିବା ଅଭିଯୋଗ କରିଛନ୍ତି ।

ତେବେ ପ୍ରେମ ନିବେଦନ କରି ବିଫଳ ହେବା ପରେ ପୀଡିତାଙ୍କୁ ଯିବା ଆସିବା ବାଟରେ ତାଙ୍କୁ ହାଇରାଣ କରୁଛନ୍ତି ସୁବୁଧି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ଜାମିନରେ ମୁକୁଳି ଏବେ ମାମଲା ପ୍ରତ୍ୟାହାର କରିବାକୁ ଚାପ ପକାଉଛନ୍ତି ।

ଏଭଳି ଘଟଣା ହୁଏତ ଗୋଟିଏ ଘଟଣା କିମ୍ବା ନୂଆ ନୁହେଁ । ହେଲେ ଏକ ତରଫା ପ୍ରେମରୁ ଜଣେ ଯୁବତୀଙ୍କୁ ରାସ୍ତାଘାଟରେ ଚଲାଇ ନଦେବା, ତାଙ୍କ ମାନ ମହତକୁ ତଳେ ପକାଇ ବଦନାମ କରିବା ନିହାତି ସାଂଘାତିକ । ଏଭଳି ଘଟଣା ପାଇଁ ଆମ ବ୍ୟବସ୍ଥାରେ ଆଇନ କାନୁନ୍ ରହିଛି । ହେଲେ ଯୁବତୀଙ୍କ କ୍ଷେତ୍ରରେ କେହି ସହାୟତା କଲାଭଳି ଲାଗୁନାହିଁ, ଯାହା ଆହୁରି ସାଂଘାତିକ ।