ବ୍ୟାଙ୍କକ୍ ଯିବାକୁ ଏୟାର ଏସିଆ ପ୍ରସ୍ତୁତ । ଚଳିତ ସପ୍ତାହରୁ ବୁକିଂ ।

24

କନକ ବ୍ୟୁରୋ: ପୁଣି ଥରେ ଭୁବନେଶ୍ବରରୁ ବ୍ୟାଙ୍କକ୍କୁ ଉଡ଼ିବ ବିମାନ । କିନ୍ତୁ ଏଥର ଏୟାର ଇଣ୍ଡିଆ ନୁହେଁ। ଏୟାର ଏସିଆ କମ୍ପାନି ଭୁବନେଶ୍ବରରୁ ବ୍ୟାଙ୍କକର ଡନ୍ ମୁଏଙ୍ଗ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସିଧା ବିମାନ ଉଡ଼ାଣ ଆରମ୍ଭ କରିବ। ଏନେଇ ଡିଜିସିଏରୁ ଅନୁମତି ମିଳି ସାରିଥିବାବେଳେ ଚଳିତ ସପ୍ତାହରୁ ଏନେଇ ବୁକିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

airasia-india-ସୂଚନା ମୁତାବକ ଏବେ ସପ୍ତାହକୁ ସାତ ଦିନ ଭୁବନେଶ୍ବରରୁ ବ୍ୟାଙ୍କକକୁ ସିଧା ବିମାନ ଉଡ଼ାଣ କରିବ। ଏଥିପାଇଁ ଏୟାର ଏସିଆ କମ୍ପାନି ରାଜ୍ୟ ସରକାରଙ୍କ ଠାରୁ ସବସିଡି ବି ନେବନି। କ୍ୱାଲାଲାମପୁରକୁ ପ୍ରତି ଉଡ଼ାଣ ପିଛା ପ୍ରାୟ ଏକ ଲକ୍ଷ ଟଙ୍କା ସବସିଡି ନେଉଥିବା ଏୟାର ଏସିଆ ଏହି ସବସିଡି ପାଇବା ସମୟରେ ରାଜ୍ୟ ସରକାରଙ୍କ ସହ ସର୍ତ୍ତ ରଖିଥିଲା ଯେ, ବିନା ସବସିଡିରେ ଆଉ ଏକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ। ଡିଜିସିଏ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ ହେଁ କେଉଁ ସମୟରେ ଉଡ଼ାଣ ହେବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବାରୁ ଏୟାର ଏସିଆ ପକ୍ଷରୁ ବୁକିଂ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ ବୋଲି ଜଣାପଡ଼ିଛି।

airasia4ତେବେ ନଭେମ୍ବର ୨୮ କିମ୍ବା ଡିସେମ୍ବର ୬ରୁ ବିମାନ ଉଡ଼ାଣ କରିବାକୁ ଏୟାର ଏସିଆ କର୍ତ୍ତୃପକ୍ଷ ଯୋଜନା କରୁଥିଲେ। ବୁକିଂ ପାଇଁ ଅଧିକ ସମୟ ଦେବାକୁ ଯୋଜନା କରି ଏୟାର ଏସିଆ କର୍ତ୍ତୃପକ୍ଷ ଡିସେମ୍ବର ୬ରୁ ଏହି ଉଡ଼ାଣ ଆରମ୍ଭ କରିବାକୁ ନିଷ୍ପତ୍ତି କରିଥିବା ଜଣାପଡ଼ିଛି । ଏୟାର ଏସିଆର ଏୟାରକ୍ରାଫ୍ଟ-୩୨୦ ଭୁବନେଶ୍ବରରୁ ସିଧା ବ୍ୟାଙ୍କକକୁ ଉଡ଼ାଣ କରିବ। ଯେଉଁଥିରେ ୧୮୦ସିଟ୍ ବିଶିଷ୍ଟ ବିମାନ ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ଭୁବନେଶ୍ବର ଛାଡ଼ିବ। ବ୍ୟାଙ୍କକ୍ରେ ଭୋର୍ରେ ପହଞ୍ଚିବ। ସେହିପରି ବିମାନଟି ବ୍ୟାଙ୍କକରୁ ସଂଧ୍ୟାରେ ଉଡ଼ାଣ ଆରମ୍ଭ କରି ଏଠାରେ ରାତି ୧୦ଟାରୁ ୧୧ଟା ମଧ୍ୟରେ ପହଞ୍ଚିବ। ତେବେ ଗତବର୍ଷ ଡିସେମ୍ବର ୧୦ରେ ଭୁବନେଶ୍ବରରୁ ବ୍ୟାଙ୍କକକୁ ସିଧା ବିମାନ ସେବା ଆରମ୍ଭ କରିଥିବା ଏୟାର ଇଣ୍ଡିଆ ଚଳିତବର୍ଷ ଜୁଲାଇ ୧୬ରୁ ହଠାତ୍ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ କରିଦେଇଥିଲା  ।