ଆଜି ଶପଥ ନେବ କି ନାହିଁ ଆଫଗାନିସ୍ତାନରେ ନୂଆ ସରକାର, ଜାରି ରହିଛି ଦ୍ୱନ୍ଦ୍ୱ

117

କନକ ବ୍ୟୁରୋ : ଆଜି ଶପଥ ନେବ କି ନାହିଁ ଆଫଗାନିସ୍ତାନରେ ନୂଆ ସରକାର , ଜାରି ରହିଛି ଦ୍ୱନ୍ଦ୍ୱ  । ୯/୧୧ରେ ଶପଥ ନେବା ପାଇଁ ତାଲିବାନ ପୂର୍ବରୁ ଘୋଷଣା କରିଥିଲେ । ବିଶ୍ୱ ବାଣିଜ୍ୟ କେନ୍ଦ୍ର ଆକ୍ରମଣକୁ ଆଜି ୨୦ ବର୍ଷ ପୂରୁଥିବାରୁ ସୃଷ୍ଟି ହୋଇଛି ବିବାଦ ।  ମିତ୍ର ରାଷ୍ଟ୍ରମାନଙ୍କ ଚାପର ବଶବର୍ତ୍ତୀ ହୋଇ ତାଲିବାନ୍‌ ନବଗଠିତ ଆଫଗାନିସ୍ତାନ କାମଚଳା ସରକାରର ଉଦ୍‌ଘାଟନୀ ଉତ୍ସବ ବାତିଲ କରିଥିବା କଥା ରୁଷ୍‌ର ‘ଟାସ୍‌ ନିଉଜ୍‌ ଏଜେନ୍‌ସି’ ଗତକାଲି ରିପୋର୍ଟ କରିଛି । ଉପରୋକ୍ତ ଉଦ୍‌ଘାଟନୀ ଉତ୍ସବ ସେପ୍ଟେମ୍ବର ୧୧ ଅର୍ଥାତ୍‌ ୯/୧୧ ଆତଙ୍କବାଦୀ ଆକ୍ରମଣର ୨୦ଶ ବାର୍ଷିକୀ ଦିନ ଆୟୋଜନ କରାଯାଇଥିଲା ।

କିନ୍ତୁ ଆଫଗାନ ସରକାରଙ୍କ ‘କଲ୍‌ଚୁରାଲ୍‌ କମିସନ୍’ର ଅନ୍ୟତମ ସଦସ୍ୟ ଇନାମୁଲ୍ଲା ସମନଗନୀ ଟୁଇଟ୍‌ କରି କହିଥିଲେ, ଅଳ୍ପ କେଇ ଦିନ ତଳେ ନୂତନ ଆଫଗାନ ସରକାରର ଉଦ୍‌ଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଜନସାଧାରଣଙ୍କୁ ଆଉ ବିଭ୍ରାନ୍ତ ନ କରାଇ ‘ଇସ୍‌ଲାମିକ୍‌ ଏମିରେଟ୍‌ସ୍‌’ର ନେତୃତ୍ବ, କ୍ୟାବିନେଟ୍‌ର କିଛି ଅଂଶ ଘୋଷଣା କରିଛି, ଏବଂ ତାହା କାର୍ଯ୍ୟ ଆରମ୍ଭ କରିସାରିଲାଣି ।ଉକ୍ତ ଉଦ୍‌ଘାଟନୀ ଉତ୍ସବକୁ ତାଲିବାନ୍ ରୁଷ୍‌, ଇରାନ୍‌, ଚୀନ୍‌, କତାର ଏବଂ ପାକିସ୍ତାନକୁ ଆମନ୍ତ୍ରଣ କରିଥିଲା । କିନ୍ତୁ, ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଏବଂ କାବୁଲ ସରକାରଙ୍କ ମଧ୍ୟସ୍ଥତା କରୁଥିବା କତାରକୁ ମସ୍କୋ ବାରମ୍ବାର ଜଣାଉଥିଲା କି, ୯/୧୧ ବାର୍ଷିକୀରେ ଆୟୋଜନ କରାଗଲେ ବି ସେ ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ଅଂଶ ଗ୍ରହଣ କରିବ ନାହିଁ ।

ପ୍ରାପ୍ତ ଅନ୍ୟାନ୍ୟ ରିପୋର୍ଟ ଅନୁସାରେ, ଉକ୍ତ ଉଦ୍‌ଘାଟନୀ ଉତ୍ସବ ‘ଅମାନବୀୟ’ ମନେହେଉଥିବାରୁ ଆଦୌ ଉଦ୍‌ଘାଟନୀ ଉତ୍ସବ ନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ‘ନାଟୋ’ ମେଣ୍ଟ କତାରୀ ସରକାରଙ୍କ ଉପରେ ଚାପ ପକାଉଥିଲେ । ଏହାଛଡ଼ା, ଆଫଗାନିସ୍ତାନରେ ନୂଆ କରି ଶାସନ ଆରମ୍ଭ କରୁଥିବା ତାଲିବାନ୍‌ ‘ବୈଶ୍ବିକ ସ୍ବୀକୃତି’ ଆଶାକୁ ମଧ୍ୟ ଏହି ଉଦ୍‌ଘାଟନୀ ଉତ୍ସବ ଅଧିକ ବିପଦଗ୍ରସ୍ତ କରିପାରେ ବୋଲି ସେମାନେ କହିଥିଲେ । ଉଲ୍ଲେଖଯୋଗ୍ୟ, କଠୋରପନ୍ଥୀ ତାଲିବାନ୍‌ ‘ବୈଶ୍ବିକ ସ୍ବୀକୃତି’ ପାଇବାକୁ ଖୁବ୍‌ ଆଗ୍ର‌ହୀ ବୋଲି ଜଣାପଡ଼ିଛି । ପ୍ରମୁଖ ମନ୍ତ୍ରୀମାନଙ୍କ ନାମ ସହ ମଙ୍ଗଳବାର ଦିନ ତାଲିବାନ୍‌ ଆଫଗାନିସ୍ତାନ ପାଇଁ କାମଚଳା ସରକାର ଘୋଷଣା କରିଥିଲା । ସାମଗ୍ରିକ ସରକାର ପାଇଁ ସେମାନେ ଭରସା ଦେଇଥିଲେ ମଧ୍ୟ ନୂତନ କ୍ୟାବିନେଟ୍‌ର ସମସ୍ତ ସଦସ୍ୟ ପୁରୁଷ ଏବଂ ତାଲିବାନ୍‌ କଠୋର ଅର୍ଥ କରିଥିବା ‘ଶାରିୟା ଆଇନ’ ଅନୁସାରେ ଶାସନ ଚାଲିବ ବୋଲି ସୂଚନା ମିଳିଥିଲା ।