ଏମିତି ବି ମୃତ୍ୟୁ ଆସେ ! ହୃଦରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଓଟିକୁ ଯାଇଥିଲେ ଡାକ୍ତର, ଆଉ ତା ପରେ …

348

କନକ ବ୍ୟୁରୋ : ମୃତ୍ୟୁ କେତେବେଳେ କେମିତି ଆସିବ କେହି କହିପାରିବେ ନାହିଁ । ଜଣେ ହୃଦରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଓଟିକୁ ଯାଇଥିଲେ ଡାକ୍ତର। ହେଲେ ରୋଗୀଙ୍କୁ ଅସ୍ତ୍ରୋପଚାର କରିବା ପୂର୍ବରୁ ନିଜେ ଟଳିପଡ଼ିଲେ । ଏମିତି ଅସ୍ବାଭାବିକ ଭାବେ ପ୍ରାଣ ହରାଇଥିବା ଡାକ୍ତର ଜଣକ ହେଲେ ସୁଜାତା ମିଶ୍ର । ଆଉ ଏଭଳି ଘଟଣା ଘଟିଛି ଆପୋଲୋ ହସ୍ପିଟାଲ୍‌ରେ। ଏ ନେଇ ସହିଦନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ଗୁରୁବାର ଅପରାହ୍ନ ପାଖାପାଖି ସାଢ଼େ ୫ଟା ସମୟରେ ସେ ଜଣେ ହୃଦରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଓଟିକୁ ଯାଇଥିଲେ । ହେଲେ କୌଣସି କାରଣରୁ ତାଙ୍କ ଛାତିରେ ଯନ୍ତ୍ରଣା ଯୋଗୁଁ ଚେୟାରୁ ତଳେ ପଡ଼ିଯାଇଥିଲେ । ପାଖରେ ଥିବା ଅନ୍ୟ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି କାଜୁଆଲ୍‌ଟିକୁ ନେଇଯାଇଥିଲେ । ହେଲେ‌ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଚାରିତ ହେବା ପରେ ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ମହଲରେ ଶୋକର ଛାୟା ଖେଳି ଯାଇଥିଲା । ପରେ କର୍ତୃପକ୍ଷ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ ପଠାଇଥିଲେ । ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ।