ହଜିଲା ସ୍ତ୍ରୀକୁ ଖୋଜି ବୁଲୁଛନ୍ତି ବୃଦ୍ଧ ବଳରାମ । ଗାଁ ଠାରୁ ସହର ବୁଲି ବୁଲି ପଚାରୁଛନ୍ତି ଠିକଣା । 

96

କନକ ବ୍ୟୁରୋ: ଯାହାକୁ ଦେଖୁଛନ୍ତି କାନ୍ଦି କାନ୍ଦି ନିଜ ହଜିଲା ସ୍ତ୍ରୀର ଠିକଣା ପଚାରୁଛନ୍ତି । ସ୍ତ୍ରୀକୁ ଖୋଜି ଷଖାଜି ଯୁଆଡେ ଆଖି ଯାଉଛି ସିଆଡେ ଚାଲିଯାଉଛନ୍ତି । ଗାଁଗଣ୍ଡା ବଜାର ସହର ସବୁଆଡେ ସ୍ତ୍ରୀ ଫଟୋ ଧରି ପାଗଳ ଭଳି ଘୁରିବୁଲୁଛନ୍ତି । ଏ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗ ବ୍ଳକ୍ ବେନିପୁର ଗାଁର ବଳରାମ ସାହୁଙ୍କ ଦୁଃଖ କାହାଣୀ ।

ମନର ମଣିଷକୁ ଖୋଜି ଖୋଜି ଆଖି ଥକିଗଲାଣି । ତଥାପି  ମନ ମାନୁନି । ଏ ଅପରାହ୍ନ ବୟସରେ ସ୍ତ୍ରୀ କେଉଁଆଡେ ଛାଡି ଚାଲିଯାଇଛି । କେହି କିଛି ଟେର୍ ପାଉନାହାଁନ୍ତି । ଦୁହିଁଙ୍କ ଭିତରେ ତ କିଛି ପାଟିତୁଣ୍ଡ ନଥିଲା । କୁଆଡେ ଚାଲିଗଲା ବୋଲି କହି କଇଁ କଇଁ ହୋଇ କାନ୍ଦୁଛନ୍ତି ବଳରାମ । ସକାଳ ହେଲେ ଚଉରାରେ ମୁଣ୍ଡିଆଟେ ମାରି ସ୍ତ୍ରୀକୁ ଖୋଜିବାକୁ ବାହାରିପଡୁଛନ୍ତି । ସ୍ତ୍ରୀ ଟୁନି ସାହୁଙ୍କର ଫଟୋଟେ ଧରି ଚାରିଆଡେ ଖୋଜି ବୁଲୁଛନ୍ତି । ଯାହାକୁ ଦେଖିଲେ ଫଟୋ ଦେଖାଇ ତାଙ୍କ ସ୍ତ୍ରୀକୁ କେହି କୋଉଠି ଦେଖିଛନ୍ତି କି ବୋଲି ପଚାରୁଛନ୍ତି । ଯୁଆଡେ ମନ କହୁଛି ସିଆଡେ ଚାଲି ଚାଲି ପଳାଉଛନ୍ତି । ଆଉ ଯେତେବେଳେ ପାଦ ଥକି ଯାଉଛି କାହା ବାରଣ୍ଡାରେ ଟିକେ ଥକା କାରୁଛନ୍ତିି , ପାଣି ଢୋକେ ପିଇ ପୁଣି ଖୋଜି ବାହାରୁଛନ୍ତି । ଏକା ଏକା ଆଉ କେତେ ବା ଖୋଜିବେ କୁଆଡେ ବା ଖୋଜିବେ  । ରାତି ହେଲେ ଘର ପିଣ୍ଡାରେ ବସି ସ୍ତ୍ରୀକୁ ମନେ ପକାଇ ଆଖିରୁ ଲୁହ ଝରାଉଛନ୍ତି ବଳରାମ

ଗରୀବ ପରିବାର  । ବଳରାମ ପରିବା ବିକିଲେ ଘର ଚଳେ । ଝିଅ ମାନଙ୍କ ବାହାଘର ପାଇଁ ଦୁହେଁ ମିଶି ବିଭିନ୍ନ ସ୍ଥାନରୁ ଟଙ୍କାର ଧାର ଆଣିଥିଲେ । ହେଲେ ଅଭାବରୁ ତାକୁ ସୁଝିବା ତ ଦୂରର କଥା, ସୁଧ ପଇସା ବଢି ବଢି ଯିବାରୁ ତାକୁ ବି ଦେବା କଷ୍ଟକର ହୋଇପଡିଛି । ବଳରାମଙ୍କ କହିବା ଅନୁସାରେ ଏହି ଋଣ ବୋଝକୁ ସହିନପାରି ବୋଧେ ଟୁନି ସାହୁ ଘର ଛାଡି କୁଆଡେ ଚାଲିଯାଇଛନ୍ତି ।

ଯେଉଁ ବୟସରେ ସ୍ୱାମୀ ସ୍ତ୍ରୀ ପରସ୍ପରର ଆଶାବାଡି ହେବା କଥା ସେ ବୟସରେ ବଳରାମଙ୍କୁ ଏକାକରି ଚାଲିଯାଇଛନ୍ତି ପତ୍ନୀ । ଏକାଏକା କେମିତି ଜୀବନ ଧରିବେ ଏହି ଚିନ୍ତାରେ ବଳରାମଙ୍କ ଆଖିରୁ ଝରୁଛି ଲୁହ । ଯଦି କେହି ସହୃଦୟ ବ୍ୟକ୍ତି ଟୁନି ସାହୁଙ୍କ ସନ୍ଧାନ ପାଆନ୍ତି ତେବେ ଏହି ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ । ମୋବାଇଲ ନମ୍ବର ହେଉଛି ୬୩୭୧୯୭୧୫୭୭,୭୬୮୨୦୯୪୪୯୧