୧୭ ବର୍ଷ ହେଲାଣି ଖୋଲା ଆକାଶ ତଳେ ଝିଅକୁ ନେଇ ପଡିରହିଛନ୍ତି କୁନିମଣି । ସ୍ୱାମୀ ଆରପାରିକୁ ଚାଲିଗଲା ପରେ ଜୀବନ ଜିଇଁବାକୁ କରୁଛନ୍ତି ସଂଘର୍ଷ, ମିଳୁନି ସରକାରୀ ସହାୟତା ।

180

କନକ ବ୍ୟୁରୋ : ଆଖିକୁ ଭଲ ଭାବେ ଦେଖାଯାଉନାହିଁ, କାନକୁ ଭଲସେ ଶୁଣାଯାଉନାହିଁ । ଅଂଟା ନଇଁ ଆସୁଥିବା ବେଳେ କାମ କରିବାକୁ ହାତ ଆଉ ସାଥ୍ ଦେଉନାହିଁ । ତଥାପି ୧୭ ବର୍ଷ ହେଲାଣି ନିଜ ଝିଅକୁ ଧରି ରାସ୍ତା କଡ଼ରେ ଏମିତି ଜୀବନ ଯିଉଁଛନ୍ତି କୁନିମଣି । କୁନିମଣିଙ୍କ କଷ୍ଟର କାହାଣୀ ଶୁଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ପଂଚାୟତର ଅଇଁରି ଗାଁର କୁନିମଣି ଏବଂ ତାଙ୍କ ଝିଅ ଗୀତାଞ୍ଜଳି । ଦିନ ଥିଲା ଲକ୍ଷ ଲକ୍ଷ ଟଙ୍କା ସମ୍ପତିର ସେ ମାଲିକ ଥିଲେ । କିନ୍ତୁ ସମୟର ଖେଳରେ ଆଜି ସବୁ ବଦଳିଯାଇଛି । ଏବେ ସେ ସାଜିଛନ୍ତି ରାସ୍ତା କଡର ବାସିନ୍ଦା ।

ରହିବାକୁ ଖଣ୍ଡେ ଘର ନାହିଁ, ଖାଇବାକୁ ମୁଠାଏ ଦାନା ମିଳୁନାହିଁ । ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ପଡେ । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ଅଭାବ ଅନଟନର ଅନ୍ଧାର ଭିତରେ ନିଜ ଝିଅକୁ ଧରି ଏମିତି ଦିନ କାଟୁଛନ୍ତି କୁନିମଣି । ଅନନ୍ତପୁର ମାର୍କେଟରେ ଥିବା ବିଏସଏନଏଲ ଅଫିସର ପଛପଟେ ପଲିଥିନ୍ ଟାଣି ରହୁଥିଲେ ଏହି ମା, ଝିଅ । କିନ୍ତୁ ଦଇବ ଦାଉ ସାଧିଲା ପରି ନିଷ୍ଠୁର ବାତ୍ୟା ୟସ୍ ଏହି ପଲିଥିନ୍ ଘରକୁ ବି ଭାଙ୍ଗିଦେଲା । ଆଉ ସେବେଠାରୁ ଏମିତି ଖୋଲା ଆକାଶ ତଳେ ଦିନ କାଟୁଛନ୍ତି କୁନିମଣି । କେତେବେଳେ ବର୍ଷା ହେଲେ, ସାରା ରାତି ଦୋକାନ ପିଣ୍ଡାରେ ଥରି ଥରି ବସିରହିଥାନ୍ତି ।

ନା କୌଣସି ସରକାରୀ ସହାୟତା ମିଳୁଛି, ନା ପ୍ରଶାସନିକ କଳ ତାଙ୍କ ପାଖରେ ପହଂଚିପାରିଛି । କଂଟ୍ରୋଲ କାର୍ଡ ଥିଲେ ମଧ୍ୟ ତାଙ୍କୁ କଂଟ୍ରୋଲ ସାମଗ୍ରୀ ମିଳୁନାହିଁ । ମାସକୁ କେବଳ ୫୦୦ ଟଙ୍କା ଭତା ମିଳୁଥିବା ବେଳେ, ବଂଚିବାକୁ ଏହି ୫୦୦ ଟଙ୍କା ହିଁ ସାହାଭରସା ।

ଗରିବଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ସରକାର, କିନ୍ତୁ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକଟିଏ ପାଖରେ ଏହି ଯୋଜନା ସତରେ ପହଂଚିପାରୁଛି ତ ? କାରଣ କୁନିମଣିଙ୍କ କଷ୍ଟର କାହାଣୀ ସବୁ ସରକାରୀ ଯୋଜନାର ତାତ୍ସଲ୍ୟ କରୁଛି । ସତେ ଯେମିତି ତାଙ୍କ ପାଇଁ ସବୁ ସାହାଯ୍ୟ ବାଟବଣା ହୋଇଯାଇଛି । ତେବେ ଘରଟିଏ ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି କୁନିମଣି । ତେବେ କୁନିମଣିଙ୍କ କଷ୍ଟର କଥା ଆମେ ସ୍ଥାନୀୟ ସରପଂଚଙ୍କୁ ଜଣାଇବା ପରେ, ଖୁବ ଶୀଘ୍ର ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ଜଣାଇବା ସହ କିଛି ଆର୍ଥିକ ସହାୟତା ଦିଆଯିବ ବୋଲି କହିଛନ୍ତି ସରପଞ୍ଚ ।