ଅଭାବ ଭିତରେ ଆଶାର ଆଲୋକ ବୁଣିଲେ ବିଶ୍ୱଜିତ୍ । ମାଟ୍ରିକରେ ରଖିଲେ ୯୦%ରୁ ଅଧିକ ମାର୍କ । ଛାତିଫୁଲାଇ ଦେବ କରୋନା କାଳରେ ଚାକିରି ହରାଇଥିବା ଜଣେ ବାପାର ଟପ୍ପର ପୁଅର ଏହି କାହାଣୀ ।

217

କନକ ବ୍ୟୁରୋ : ଗାଁ ପାଇଁ ଗୌରବ ଆଣିଲା ଗରିବ ବାପାର ସୁନା ପୁଅ । କରୋନା କାଳରେ ଚାକିରି ହରାଇଥିବା ଜଣେ ବାପାର ଟପ୍ପର ପୁଅର ଏହି କାହାଣୀ ଶୁଣିଲେ ଯେକେହିବି ଭାବବିହ୍ୱଳ ହୋଇଯିବ । ଅଭାବ ଅନଟନର ଅନ୍ଧାର ଭିତରେ ଆଶାର ଆଲୋକ ବୁଣିଦେଇଛନ୍ତି ବିଶ୍ୱଜିତ୍ । ବାପାଙ୍କ ଅକ୍ଳାନ୍ତ ପରିଶ୍ରମର ମୂଲ ରଖି ମାଟ୍ରିକ୍ ପରୀକ୍ଷାରେ ଆଣିଛନ୍ତି ୯୦ ପ୍ରତିଶତରୁ ଅଧିକ ମାର୍କ ।

ମାଟ୍ରିକ ପରୀକ୍ଷା ରେଜଲ୍ଟକୁ ନେଇ ସାରା ରାଜ୍ୟରୁ ଅଶାନ୍ତିର ବିଭିନ୍ନ ଖବର ଆସୁଥିବା ବେଳେ କଟକ ଜିଲ୍ଲା ନିଆଳି କୃଷ୍ଣପ୍ରସାଦ ଗାଁରୁ ଆସିଛି, କରୋନା କାଳରେ କମ୍ପାନୀରୁ ଚାକିରି ହରାଇଥିବା ଜଣେ ଗରିବ ବାପାର ଟପ୍ପର ପୁଅର କାହାଣୀ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୪୫ ନମ୍ବର ରଖି କଟକ କଲେଜଛକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଟପ୍ପର ହୋଇଛନ୍ତି ବିଶ୍ୱଜିତ୍ ରାଉତ ।

ବିଶ୍ୱଜିତଙ୍କ ବାପା ଦେବେନ୍ଦ୍ର ରାଉତ ଏକ କମ୍ପାନୀରେ କାମ କରୁଥିଲେ । ମାସକୁ ଯାହା କିଛି ରୋଜଗାର ହୁଏ ସେଥିରେ ପରିବାର ଚଳାଇ ପୁଅର ପାଢପଢା ଖର୍ଚ୍ଚ ବହନ କରିବା କଷ୍ଟକର । ଅଭାବ ଭିତରେ ବି କେବେ ହେଲେ ପୁଅର ପାଠପଢାରେ ସେ ଅବହେଳା କରିନାହାନ୍ତି । ହେଲେ ୨ ବର୍ଷ ହେବ କରୋନା କଟକଣା ପାଇଁ କମ୍ପାନୀ ବନ୍ଦ ହୋଇଯିବାରୁ ଚାକିରୀ ହରାଇ ଦୁଃଖରେ ଦିନ କାଟୁଛନ୍ତି ଦେବେନ୍ଦ୍ର । ପରିବାର ଚଳାଇବା କଷ୍ଟ ହୋଇପଡିବାରୁ ନିଜ ସ୍ତ୍ରୀ ଏବଂ ପୁଅକୁ ଗାଁକୁ ପଠେଇଦେଇ ରୋଜଗାର ଆଶାରେ ଏବେ କଟକରେ ସଂଘର୍ଷ କରୁଛନ୍ତି ।

ପିଲାଟି ଦିନରୁ ଭଲ ପାଠ ପଢନ୍ତି ବିଶ୍ୱଜିତ୍ । ଆଉ ସେଥିପାଇଁ ପୁଅ ଏବଂ ସ୍ତ୍ରୀଙ୍କୁ ଗାଁରୁ ଆଣି କଟକରେ ରଖିଥିଲେ ଦେବେନ୍ଦ୍ର । ପିଲାଟି ଦିନରୁ ଅନେକ ମେଧାବୃତ୍ତି ପାଇଛନ୍ତି ବିଶ୍ୱଜିତ୍ । ତେବେ ବିଶ୍ୱଜିତ୍ ମାଟ୍ରିକ୍ ପରୀକ୍ଷା ହୋଇଥିଲେ ଆଉ ଟିକେ ଅଧିକ ନମ୍ବର ରଖିଥାନ୍ତେ ବୋଲି କହିଥିବା ବେଳେ, ପୁଅର ଏପରି ସଫଳତା ବାପା ମାଙ୍କୁ ଗର୍ବିତ କରିଛି ।

କଥାରେ ନାହିଁ, ମନରେ ଦୃଢ ଇଚ୍ଛାଶକ୍ତି ଆଉ ଆତ୍ମବିଶ୍ୱାସ ଥିଲେ, ସବୁ କାମ ସମ୍ଭବ ହୋଇପାରିବ । ଏହାକୁ ପ୍ରମାଣ କରିଛନ୍ତି ବିଶ୍ୱଜିତ୍ । ଆଉ ଦରିଦ୍ରତା ଭିତରେ ବି ଆଶାର କିରଣ ସାଜିଛନ୍ତି । ତେବେ ଆଗକୁ ଯୁକ୍ତ ୨ରେ ମଧ୍ୟ ଭଲ ନମ୍ବର ରଖି ଜଣେ ଏରୋସ୍ପେସ୍ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି ବିଶ୍ୱଜିତ ।