ଦେଶରେ ବଢିବ ତେଲ ଭଣ୍ଡାର କ୍ଷମତା ! ମହଜୁଦ୍ ରହିବ ୬୫ ଲକ୍ଷ ଟନ୍ ଅଶୋଧିତ ତୈଳ, ନିବେଶକ ଖୋଜୁଛନ୍ତି ସରକାର ।

63

ଦେଶରେ ଅଶୋଧିତ ତେଲ ସଂରକ୍ଷଣ କ୍ଷମତା ବଢ଼ାଇବା ଯୋଜନା ସରକାର କରୁଛନ୍ତି । ଦେଶରେ ତେଲ ଦର ବୃଦ୍ଧି ପାଉଥିବାରୁ ତୈଳ ଭଣ୍ଡାର କ୍ଷମତା ବୃଦ୍ଧି ଲାଗି ବିଚାର କରାଯାଉଛି । ମହଜୁଦ ରହୁଥିବା ଏହି ତେଲ ଭଣ୍ଡାରକୁ ଷ୍ଟ୍ରାଟେଜିକ ଅଏଲ ରିଜର୍ଭ (ଏସପିଆର) କୁହାଯାଇଥାଏ । ଭାରତରେ ଏବେ ୩ଟି ସ୍ଥାନରେ ତୈଳ ଭଣ୍ଡାର ରହିଛି । ଏଗୁଡ଼ିକରେ ପ୍ରାୟ ୫୩ ଲକ୍ଷ ଟନ ଅଶୋଧିତ ତେଲ ମହଜୁଦ ରହିବା କ୍ଷମତା ରହିଛି । ଏହି ତିନୋଟି ସ୍ଥାନ ମଧ୍ୟରୁ ବିଶାଖାପାଟଣାରେ ଗୋଟିଏ ଭଣ୍ଡାର ରହିଛି । ଏଥିରେ ୧୩.୩ ଲକ୍ଷ ଟନ ଅଶୋଧିତ ତେଲ ମହଜୁଦ ରହିଛି । ବ୍ୟାରେଲ ପିଛା ପ୍ରାୟ ୪୮ ଡଲାରରେ ଅଶୋଧିତ ତେଲ କିଣି ସରକାର ଏହି ଭଣ୍ଡାରକୁ ପୂରଣ କରିଥିଲେ ।

ଏତଦବ୍ୟତୀତ ମାଙ୍ଗାଲୁରୁଠାରେ ଦୁଇଟି ଭୂତଳ ତୈଳ ଭଣ୍ଡାର ନିର୍ମାଣ ହୋଇଛି । ଏହି ଦୁଇଟି ଯାକ ଭଣ୍ଡାରରେ ୧୫ ଲକ୍ଷ ଟନ ଅଶୋଧିତ ତେଲ ମହଜୁଦ ରହିପାରିବ । ଏଥିରୁ ଗୋଟିଏ ୟୁନିଟରେ ତୈଳ ସମ୍ପୂର୍ଣ୍ଣ ମହଜୁଦ ରହିଛି । ଏହି ଭଣ୍ଡାର ପାଇଁ ସରକାର ବ୍ୟାରେଲ ପିଛା ୫୫ ଡଲାରରୁ ୫୮ ଡଲାର ମଧ୍ୟରେ ଅଶୋଧିତ ତେଲ କିଣିଛନ୍ତି। ଦ୍ବିତୀୟ ୟୁନିଟରେ ଅଶୋଧିତ ତେଲ ସମ୍ପୂର୍ଣ୍ଣ ଭର୍ତ୍ତି କରାଯାଇନାହିଁ । ପ୍ରଥମ ପର୍ଯ୍ୟାୟରେ ସରକାର ଯେତିକି ତୈଳ ଗଚ୍ଛିତ ରଖିବା ସୁବିଧା ରଖିଛନ୍ତି ତାହା ୧୦ ଦିନ ପାଇଁ ଦେଶର ତୈଳ ଚାହିଦାକୁ ପୂରଣ କରିପାରିବ । ୨୦୧୬-୧୭ର ତେଲ ଖର୍ଚ୍ଚ ହିସାବରେ ଏହି ଆକଳନ କରାଯାଇଛି ।

ଅନ୍ୟପକ୍ଷରେ ସରକାର ଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨ଟି ତୈଳ ଭଣ୍ଡାର ନିର୍ମାଣ ଯୋଜନା ରଖିଛନ୍ତି । ଏହି ଦୁଇଟି ଯାକ ପ୍ରକଳ୍ପରେ ୬୫ ଲକ୍ଷ ଟନ ଅଶୋଧିତ ତୈଳ ମହଜୁଦ ରହିବ । ଏଥିରୁ ଗୋଟିଏ ଓଡ଼ିଶାର ଚଣ୍ଡିଖୋଲ ଏବଂ ଅନ୍ୟଟି କର୍ଣ୍ଣାଟକର ପାଦୁରଠାରେ ନିର୍ମାଣ ହେବ । ଏହି ଦୁଇଟି ପ୍ରକଳ୍ପ ନିର୍ମାଣ ହେଲେ ଦେଶର ଆଉ ୧୨ ଦିନ ପାଇଁ ତୈଳ ଆବଶ୍ୟକତାକୁ ମେଣ୍ଟାଇ ହେବ । ଦ୍ବିତୀୟ ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ତୈଳ ଭଣ୍ଡାର ସରକାରୀ ଘରୋଇ ସହଭାଗିତାରେ ହେବ । ଏଥିପାଇଁ ସରକାର ନୂଆଦିଲ୍ଲୀ, ସିଙ୍ଗାପୁର ଏବଂ ଲଣ୍ଡନ ଆଦି ସ୍ଥାନରେ ରୋଡ ସୋ କରି ନିବେଶକମାନଙ୍କୁ ଆକର୍ଷିତ କରିବା ଯୋଜନା ରଖିଛନ୍ତି ।