ଓଡିଶାରେ ପଡିଛି ଛତିଶଗଡରେ ବନ୍ଧ ନିର୍ମାଣର ପ୍ରଭାବ: କଲମା ବ୍ୟାରେଜର ଗେଟ ବନ୍ଦ୍ ପରେ ଶୁଖିଗଲାଣି ଝାରସୁଗୁଡାର ଶୁଖାସୋଡା ଅଂଚଳରେ ମହାନଦୀ

122

କନକ ବ୍ୟୁରୋ: ଛତିଶଗଡ ପୁଣି ବନ୍ଦ କରିଛି କଲମା ବ୍ୟାରେଜ ର ସମସ୍ତ ଗେଟ । କଲମା ବ୍ୟାରେଜରେ ଥିବା ୬୬ ରୁ ୬୬ ଗେଟ ବନ୍ଦ ରଖିଛି ଛତିଶଗଡ । ଫଳରେ ଛତିଶଗଡ଼ ପଟେ ଆଖି ପାଇବା ଯାଏଁ କେବଳ ପାଣି ହିଁ ପାଣି ଥିବାବେଳେ ତଳମୁଣ୍ଡରେ ଓଡିଶାପଟେ ମହାନଦୀ ଶୁଖିଲା ପଡିଛି । ଅଣମୌସୁମୀ ସମୟରେ ଛତିଶଗଡ଼ ସରକାର ମହାନଦୀରେ ପାଣି ଅଟକାଇ ଥିବାରୁ ଏପ୍ରିଲ ଆରମ୍ଭରୁ ଓଡ଼ିଶା ପଟେ ମହାନଦୀ ସୁଖୀ ଗଲାଣି । ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ସୁଖାସୋଢା ଗ୍ରାମ ଦେଇ ମହାନଦୀ ଓଡିଶାକୁ ପ୍ରବେଶ କରିଥିବାବେଳେ ସୁଖାସୋଢାରେ ମଧ୍ୟ ସୁଖାପଡିଛି ମହାନଦୀ ।

ଛତିଶଗଡରୁ ମହାନଦୀ ଓଡିଶାକୁ ପ୍ରବେଶ କରୁଥିବା ସ୍ଥାନ ସୁଖାସୋଡାରେ ଏପ୍ରିଲ ମାସରେ ଶୁଖିଲା ପଡିଛି ମହାନଦୀର ଶଯ୍ୟା । ମାର୍ଚ୍ଚ ୨୫ତାରିଖରୁ ଛତିଶଗଡ କଲମା ବ୍ୟାରେଜର ସମସ୍ତ ଗେଟ ବନ୍ଦ କରିଦେଇଛି । ଆଉ ଉପରମୁଣ୍ଡରୁ ପାଣି ଆସୁନଥିବାରୁ ମହାନଦୀର ଜଳଧାରା ସଙ୍କୁଚିତ ହୋଇ ଶୁଖି ଯାଉଛି । ଦିନକୁ ଦିନ ମହାନଦୀର ଦୁଇ କୂଳରେ ବାଲୁକା ରାଶି ପଦାକୁ ଆସୁଛି, ଆଉ ପାଣିର ଧାର ସରୁ ହୋଇଚାଲିଛି ।

ଝାରସୁଗୁଡାର ଏହି ସୁଖାସୋଢାରେ କିଛି ବର୍ଷ ପୂର୍ବେ ଖାରଦିନେ ମଧ୍ୟ ମହାନଦୀର ପାଣି ଲହଡି ଭାଙ୍ଗୁଥିଲ. ସେହି ସୁଖାସୋଢାରେ ଏବେ ଧୁଳି ଉଡୁଛି । ମହାନଦୀ ଶୁଖିଲା ପଡିବାରୁ ଏହାର ସିଧା ସଳଖ ପ୍ରଭାବ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପଡିଛି । ମହାନୀଦ ଉପରେ ନିର୍ଭର ଚାଷ କରୁଥିବା ପାଣି ଅଭାବରୁ ରବି ଫସଲ କରିନପାରି ହାତ ବାନ୍ଧି ବସିଛି । ସେହିପରି ମହାନୀଦରୁ ମାଛ ମାରି ପରିବାର ଚଳାଉଥିବା ମତ୍ସ୍ୟଜୀବୀ ଏବେ ବେକାର ବସିଛନ୍ତି । ମହାନଦୀର ପାଣି ଶୁଖିଯିବାରୁ ଚାଷୀ ଓ ମତ୍ସ୍ୟଜୀବୀ ନିଜର ଜୀବିକା ହରାଇଛନ୍ତି । ସେପଟେ ନଦୀରେ ପାଣି ନଥିବାରୁ ଭୂତଳ ଜଳସ୍ତର ମଧ୍ୟ କମିଯାଉଛି । ଏପରିକି ମଦାନଦୀ କୂଳର ଗାଁ ଗୁଡିକର ନଳକୂପରୁ ପାଣି ବାହାରୁନଥିବା ଅଭିଯୋଗ ହୋଇଛି ।

୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ମହାନଦୀ ବଂଚାଓ ଅଭିଯାନ ସୁଖାସୋଡାରୁ ଆରମ୍ଭ ହୋଇଥିଲା । ଏବେ ବି ମହାନଦୀରେ କଲମା ବ୍ୟାରେଜ ବଡ ସମସ୍ୟା ହୋଇ ରହିଛି, ପାଣି ସମସ୍ୟା ଧିରେ ଧିରେ ଉକ୍ରଟ ହେବାରେ ଲାଗିଛି, କିନ୍ତୁ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁ ନାହିଁ ।