ଉପର ମୁଣ୍ଡରେ ଥାଇ ବି ଓଡିଶାରେ ଶୁଖିଲା ପଡ଼ିଛି ବଂଶଧାରା: ତଳ ମୁଣ୍ଡରେ ଥିଲେ ବି ବନ୍ଧ ନିର୍ମାଣ କରି ପାଣି ଅଟକାଇ ସୁବିନିଯୋଗ କରୁଛି ଆନ୍ଧ୍ର

127

କନକ ବ୍ୟୁରୋ: ଓଡି଼ଶାର ପ୍ରମୁଖ ନଦୀ ଭିତରେ ଅନ୍ୟତମ ନଦୀ ବଂଶଧାରା । କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁରଠାରୁ ଆରମ୍ଭ ହୋଇ ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର, ମୁନିଗୁଡା, ବିଷମକଟକ, ଗଜପତିର ପାରାଳାଖେମୁଣ୍ଡି ଦେଇ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମରେ ବଙ୍ଗୋପସାଗରରେ ମିଶିଛି ବଂଶଧାରା । ଏ ହେଉଛି ବଂଶଧାରା ନଦୀ ଗତିପଥର ଏକ ସାଂକେତିକ ଚିତ୍ର । ୨୫୪ କିଲୋମିଟର ଲମ୍ବା ବିଶିଷ୍ଟ ଏହି ନଦୀର ପ୍ରାୟ ଅଧାରୁ ଅଧିକ ଅଂଶ ଓଡିଶାରେ ପ୍ରବାହିତ ହେଉଛି ।

ଓଡିଶା ଓ ଆନ୍ଧ୍ରପ୍ରଦେଶ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀ ବଂଶଧାରାର ଅବସ୍ଥା କେଉଁଠି କେମିତି ରହିଛି, କେଉଁପଟେ ଶୁଖିଲା ପଡିଛି, ଆଉ କେଉଁପଟେ ପାଣି ଉଛୁଳୁଛି ତାର ବାସ୍ତବ ଚିତ୍ର । ଶୁଖିଲା ପଡିଛି ବଂଶଧାରା ନଦୀ ଗର୍ଭ । କେଉଁଠି କେଉଁଠି ଅତି କ୍ଷୀଣ ଧାର ପ୍ରବାହିତ ହେଉଛି । କିନ୍ତୁ ଦ୍ୱିତୀୟ ଦୃଶ୍ୟରେ ଅର୍ଥାତ ଆନ୍ଧ୍ରପ୍ରଦେଶ ପଟରେ ଥିବା ବଂଶଧାରାରେ ପାଣି ଉଛୁଳୁଛି । ଏହାର କାରଣ ବଂଶଧାରା ଓଡିଶାରୁ ବାହାରିଥିଲେ ବି ନଦୀ ଉପରେ କୌଣସି ପ୍ରକଳ୍ପ କରି ନାହାଁନ୍ତି ରାଜ୍ୟ ସରକାର ।

ବଂଶଧାରା ନଦୀର ଉପରମୁଣ୍ଡ ଓଡିଶାରେ ରହିଥିଲେ ବି ଶୁଖିଲା ପଡିଛି । କାରଣ ଓଡିଶା ସରକାର ବହିଯାଉଥିବା ବଂଶଧାରାର ପାଣିକୁ ଅଟକାଇ ରଖିବା ପାଇଁ ନଦୀ ଉପରେ କୌଣସି ପ୍ରକଳ୍ପ କରିନାହାଁନ୍ତି । ହେଲେ ଆନ୍ଧ୍ର ସରକାର ବଂଶଧାରା ନଦୀର ଉପରେରେ ଗୋଟା, କୋଟ୍ରାଗୁଡା ନଦୀବନ୍ଧ ଯୋଜନା କରି ପାଣିକୁ ଅଟକାଇ ରଖିବା ସହ ସୁବିନିଯୋଗ କରିବାରେ ସକ୍ଷମ ହୋଇଛି । ଏଥିସହ ବଂଶଧାରା ଉପରେ ନେରେଡିରେ ଆଉ ଏକ ପ୍ରକଳ୍ପ ପାଇଁ ଯୋଜନା କରୁଛି ଆନ୍ଧ୍ର ପ୍ରଦେଶ ।

ଓଡିଶାରେ ବଂଶଧାରା ନଦୀ ଉପରେ ଓଡିଶା ସରକାର ବିଭିନ୍ନ ସମୟରେ ପ୍ରକଳ୍ପ ପାଇଁ ଯୋଜନା କରିଥିଲେ ମଧ୍ୟ,ତାହା କାର୍ଯ୍ୟକାରୀ ହୋଇନାହିଁ । କିନ୍ତୁ ଆନ୍ଧ୍ର ଦୂରଦୃଷ୍ଟି ଖଟାଇ ଏଭଳି ପ୍ରକଳ୍ପ କରିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏଦିଗରେ ଓଡିଶା ସରକାର କିଛି କରୁନାହାଁନ୍ତିି । ଆଗାମି ବର୍ଷ ମାନଙ୍କରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେବ । ତେଣୁ ଓଡିଶା ସରକାର ଦୂରଦୃଷ୍ଟି ସମ୍ପର୍ଣ୍ଣ ହୋଇ ବଂଶଧାରା ଉପରେ ପ୍ରକଳ୍ପ ହାତକୁ ନେଲେ ଭବିଷ୍ୟତ ପୀଢ଼ି ପାଇଁ କୌଣସି ସମସ୍ୟା ରହିବନି ।