ପୁଣି ଶୁଭିବ ଡାଏଲଗ, ପେଣ୍ଡାରେ ଝଲସିବ ଚିକମିକ୍ ଲାଇଟ୍ । ମୁହଁରେ ମେକଅପ୍ ମାରି ଅଭିନୟକୁ ଓହ୍ଲାଇବେ ଯାତ୍ରା କଳାକାର । ୫୦% ଦର୍ଶକଙ୍କୁ ନେଇ ହେଇପାରିବ ଯାତ୍ରା ।

715

କନକ ବ୍ୟୁରୋ: ପୁଣି ଶୁଭିବ ଡାଏଲଗ, ପେଣ୍ଡାଲରେ ଝଲସିବ ଚିକମିକ୍ ଲାଇଟ୍ । ମୁହଁରେ ମେକଅପ୍ ମାରି ପୁଣି ପେଣ୍ଡାଲ ଉପରକୁ ଅଭିନୟ କରିବାକୁ ଆସିବେ ଯାତ୍ରା କଳାକାର । କାହିଁକି ନାଁ ଅଗଷ୍ଟ ମାସର ଗାଇଡଲାଇନରେ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ଆଜି ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍ କରି ଅଗଷ୍ଟ ମାସର ଗାଇଡଲାଇନ୍ ଘୋଷଣା କରିଛନ୍ତି । ଯେଉଁଥିରେ ଏବେ କିଛି କଟକଣାକୁ କୋହଳ କରାଯାଇଛି । ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ନିୟମକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଆଉ ଏହାରି ଭିତରେ ଯାତ୍ରା କଳାକାରଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସାରା ରାଜ୍ୟରେ ଯାତ୍ରା ହୋଇପାରିବ ବୋଲି ସରକାର ଅନୁମତି ପ୍ରଦାନ କରିଛନ୍ତି । ଖାଲି ସେତିକି ନୁହେଁ, ଅଧା ଦର୍ଶକଙ୍କୁ ନେଇ ରାଜ୍ୟର ସିନେମା ହଲ, ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ଚାଲିପାରିବ ବୋଲି ନୂଆ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।

ତା ସହିତ ଏଣିକି ସାରା ରାଜ୍ୟରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ, ବଜାର ଖୋଲିପାରିବ । କେବଳ ପୁରୀ, ଭୁବନେଶ୍ୱର ଓ କଟକରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ସପ୍ତାହାନ୍ତ ସଟଡାଉନ୍ ସମୟରେ ଏହି ସହରରେ କଟକଣା କଡାକଡି ଭାବେ ପାଳନ କରାଯିବ ।

ସୂଚନାଯୋଗ୍ୟ ଯେ, ଲକଡାଉନ୍ ସମୟରେ ସରକାର ଯାତ୍ରା, ସିନେମା ହଲକୁ ବନ୍ଦ କରିଦେଇଥିଲେ । ଏହାପରେ ଯାତ୍ରା କଳାକାର ମାନେ ବହୁ ଅସୁବିଧାରେ ଦିନ କାଟୁଥିଲେ । କଟକଣା ସହ  ଆଉ ଏହାକୁ ଆଖି ଆଗରେ ରଖି ଏବେ ସରକାର ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ, ଯାତ୍ରା ପେଣ୍ଡାଲ ଖୋଲିବାକୁ ଅନୁମତି ଦେଇଛନ୍ତି ।