ରାଜନୀତିକୁ ‘ଗୁଡବାଏ’ କହିଲେ ବିଜେପି ନେତା ବାବୁଲ ସୁପ୍ରିୟୋ । ପଢନ୍ତୁ, କଣ୍ଠଶିଳ୍ପୀରୁ କେମିତି ବନିଥିଲେ କେନ୍ଦ୍ରମନ୍ତ୍ରୀ। 

286

କନକ ବ୍ୟୁରୋ: ଜଣେ ସାଧାରଣ କଣ୍ଠଶିଳ୍ପୀରୁ ରାଜନେତା ଆଉ ତା ପରେ ସାଂସଦରୁ କେନ୍ଦ୍ରମନ୍ତ୍ରୀ । ବାବୁଲ ସୁପ୍ରିୟୋଙ୍କ ରାଜନୈତିକ କ୍ୟାରିୟର ଥିଲା ବେଶ ରୋମାଞ୍ଚକର । ଦିନେ ସେ ବଲିଉଡ୍, ବେଙ୍ଗଲୀ ଆଉ ଓଡିଆ ଫିଲ୍ମ ଓ ଆଲବମରେ ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ । ହେଲେ ତାପରେ ରାଜନୀତି ତାଙ୍କ କ୍ୟାରିୟରର ମୋଡ ଦେଇଥିଲା । ପଶ୍ଚିମବଙ୍ଗରୁ ସେ ଯାଇଥିଲେ ସଂସଦ ଆଉ ବନିଥିଲେ ମୋଦୀ ସରକାରରେ କେନ୍ଦ୍ରମନ୍ତ୍ରୀ । ହେଲେ ଆଜି ସେ ସବୁ କୁ ଗୁଡବାଏ କହି ରାଜନୀତିରୁ ସନ୍ୟାସ ନେଇଛନ୍ତି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ।

ନିଜ ଫେସବୁକ ପେଜରେ ଏକ ବାର୍ତ୍ତା ଲେଖି ପଶ୍ଚିମବଙ୍ଗର ନେତା, ତଥା ଆସନସୋଲର ବିଜେପି ସାଂସଦ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି । ଫେସବୁକ ପେଜରେ ସେ ଲେଖିଛନ୍ତି, ଲୋକଙ୍କ ସେବା କରିବାକୁ ରାଜନୀତିରେ ରହିବା ଜରୁରୀ ନୁହେଁ । ରାଜନୀତିରୁ ଅଲଗା ହୋଇ ମଧ୍ୟ ସେ ଲୋକଙ୍କ ସେବା କରିପାରିବେ । ସେ ସବୁବେଳେ ବିଜେପି ସହ ଅଛନ୍ତି ଏବଂ ରହିବେ ବୋଲି ନିଜ ଫେସବୁକ୍ ପେଜରେ ଲେଖିଛନ୍ତି ।

ବାବୁଲ ସୁପ୍ରିୟୋଙ୍କ ଜନ୍ମ ୧୯୭୦ ମସିହାରେ ବେଙ୍ଗଲର ଏକ ସମ୍ଭ୍ରାନ୍ତ ପରିବାରରେ ହୋଇଥିଲା । ସେ ତାଙ୍କ ଜେଜେ ମା’ଙ୍କ ଦ୍ୱାରା ବେଶ ପ୍ରଭାବିତ ହୋଇଥିଲେ । ଯିଏ କି ଜଣା ଜଣାଶୁଣା ବେଙ୍ଗଲୀ କମ୍ପୋଜର ଥିଲେ । ଗ୍ରାଜୁଏସନ ଶେଷ କରିବା ପରେ ବାବୁଲ ସୁପ୍ରିୟୋ ଜଣେ ବ୍ୟାଙ୍କ କର୍ମଚାରୀ ଭାବେ କାମ ଆରମ୍ଭ କରିଥିଲେ ହେଲେ ୧୯୯୨ ମସିହାରେ ସେ ନିଜ କାମ ଛାଡି ମୁମ୍ବାଇ ଚାଲିଆସିଥିଲେ । ସେଠାରେ ସେ ସଙ୍ଗୀତରେ ନିଜ କ୍ୟାରିୟର କରିବାକୁ ଲଢିଥିବାବେଳେ ନାନାଦି ଷ୍ଟେଜ୍ ସୋ ଓ ବିଭିନ୍ନ ବଲିଉଡ୍ ଫିଲ୍ମରେ ଗୀତ ଗାଇବାକୁ ଲାଗିଥିଲେ । କହୋ ନା ପ୍ୟାର ହେ, ଦିଲ ନେ ଦିଲ କୋ ପୁକାରା ଭଳି ଫିଲ୍ମରେ ତାଙ୍କର କଣ୍ଠର ଜଲୱା ଦେଖିବାକୁ ମିଳିଥିଲା ।

ଏହାରି ଭିତରେ ୨୦୧୪ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ବିଜେପି ଟିକେଟରୁ ସେ ଲୋକସଭା ନିର୍ବାଚନ ଲଢିଥିବାବେଳେ ଆସନସୋଲରୁ ବିଜେପି ସାଂସଦ ଭାବେ ପହଞ୍ଚିଥିଲେ ପାର୍ଲିଆମେଣ୍ଟ । ଏହାପରେ ତାଙ୍କୁ ମୋଦୀ କ୍ୟାବିନେଟରେ ମନ୍ତ୍ରୀପଦ ମଧ୍ୟ ମିଳିଥିଲା । ୨୦୧୯ରେ ମଧ୍ୟ ସେ ବିଜେପି ଟିକେଟରୁ ପୁଣି ସଂସଦକୁ ନିର୍ବାଚିତ ହୋଇଥିଲେ ଆଉ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ହେଲେ ଗତ ମୋଦୀ କ୍ୟାବିନେଟ ସମ୍ପ୍ରସାରଣରେ ତାଙ୍କୁ ମନ୍ତ୍ରୀପଦ ମିଳିନଥିଲା ।

ଏହାକୁ ନେଇ ଗତ କିଛି ଦିନ ହେଲା ସେ ଖୁସି ନଥିବା ସୂଚନା ମିଳୁଥିଲା । ଏପରିକି ବିଜେପିରୁ ତାଙ୍କ ଭୂମିକା କମ ହେଉଥିବା ନେଇ ଅନେକ ରାଜନୈତିକ ପଣ୍ଡିତମାନେ ଆକଳନ କରିଥିଲେ । କୁହାଯାଉଥିଲା, ବାବୁଲ ସୁପ୍ରିୟୋ ଖୁବଶୀଘ୍ର କିଛି ବଡ ନିଷ୍ପତ୍ତି ନେଇପାରନ୍ତି ଏବଂ ତୃଣମୂଳ କଂଗ୍ରେସରେ ସାମିଲ ହୋଇପାରନ୍ତି । ହେଲେ ସେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ସେ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି ।