ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭାରେ ହଙ୍ଗାମା : ପୋଡିୟମ ତଳେ ବିଜେପି ବିଧାୟକଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

63

କନକ ବ୍ୟୁରୋ : ଆଜି ବି ଚାଲି ପାରିଲାନି ବିଧାନସଭା । ପୁଣି ଗୃହରେ ଉଠିଲା ମାହଙ୍ଗା ଡବଲ ମର୍ଡର ପ୍ରସଙ୍ଗ । ଏହି ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ କରି ଇସ୍ତଫା ଦାବି କଲେ ବିରୋଧୀ ସଦସ୍ୟ । ଶନିବାର ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିଥିଲେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ । ରବିବାର ଗୋଟିଏ ଦିନ ବିରତି ପରେ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା ଆରମ୍ଭ କରିଦେଇଥିଲେ ବିଜେପି ବିଧାୟକ ।

ଗୃହର ମଧ୍ୟ ଭାଗକୁ ଆସି ପୋଷ୍ଟର, ବ୍ୟାନର ଦେଖାଇବା ସହ ନାରାବାଜି କରିବା ଫଳରେ ପ୍ରଥମେ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ପରେ ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା ହୋଇଛି । ମାହାଙ୍ଗା ଡବଲ ମର୍ଡର ମାମଲାରେ ହୋଇଥିବା ଏଫଆଇଆରରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ୧୩ ନମ୍ବର ଅଭିଯୁକ୍ତ ଦର୍ଶାଯାଇଛି । ପୂର୍ବରୁ ଆଇନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

ତେଣୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ ନାୟକ । ଅନ୍ୟ ପକ୍ଷରେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ଆଜି ପ୍ରଶ୍ନ କାଳରେ ଗୃହରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା ଥିଲା । ବିଜେପି ଚାହିଁଥିଲେ ଆଲୋଚନା କରାଯାଇପାରିଥାନ୍ତା । କିନ୍ତୁ ଆଲୋଚନାରେ ଭାଗ ନନେଇ ବିଜେପି ବିଧାୟକମାନେ ଗୃହକୁ ଅଚଳ କରିଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।