ସଂସଦରେ ଓଡ଼ିଆରେ ଦାବି ରଖିଲେ ସାଂସଦ ସସ୍ମିତ ପାତ୍ର । କହିଲେ, ଚଳିତ ଖରିଫ ଋତୁରେ ଓଡ଼ିଶାରୁ ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବାକୁ ତୁରନ୍ତ ଚେଷ୍ଟା କରନ୍ତୁ କେନ୍ଦ୍ର ସରକାର ।

108

କନକ ବ୍ୟୁରୋ : ସଂସଦରେ ସାଂସଦ ସସ୍ମିତଙ୍କ ଦାବି । ତୁରନ୍ତୁ କେନ୍ଦ୍ର ସରକାର ଏଫସିଆଇ ମାଧ୍ୟମରେ ରାଜ୍ୟରୁ ଚାଉଳ ଉଠାନ୍ତୁ ବୋଲି ଦାବି କରିଛନ୍ତି ସସ୍ମିତ । ଚଳିତ ଖରିଫ ଋତୁରେ ଏଫସିଆଇ ମାଧ୍ୟମରେ ରାଜ୍ୟରୁ ପାଖାପାଖି ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରିବାର ଆବଶ୍ୟକତା ରହିଥିବା ବେଳେ ମାର୍ଚ୍ଚ ୧୩ ସୁଦ୍ଧା ମାତ୍ର ୬ ଲକ୍ଷ ୬୫ ହଜାର ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରାଯାଇଛି । ଆଉ ଏହି ଗତିରେ ଚାଉଳ ସଂଗ୍ରହ ଚାଲିଲେ ନିର୍ଦ୍ଧାରିତ ଲକ୍ଷ୍ୟ ରଖାଯାଇଥିବା ଚାଉଳ ସଂଗ୍ରହ ହୋଇପାରିବନି ବୋଲି କହିଛନ୍ତି ସସ୍ମିତ ।

ସେହିଭଳି ଗତବର୍ଷ ଏଫସିଆଇ ୧୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରିଥିଲା । ତେଣୁ ଚଳିତ ଖରିଫ ଋତୁରେ ଯଦି ସେତିକି ପରିମାଣର ଚାଉଳ ସଂଗ୍ରହ କରାଯାଏ ତେବେ ପ୍ରାୟ ୧୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଓଡ଼ିଶା ପାଖରେ ଗଚ୍ଛିତ ରହିବ । ଯେଉଁଥିପାଇଁ ରାଜ୍ୟକୁ ୪୧୬୦ କୋଟି ଟଙ୍କାର କ୍ଷତି ପହଞ୍ଚିବ । ତେଣୁ ତୁରନ୍ତ ୩୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ ପ୍ରକ୍ରିୟାକୁ କରିବାକୁ ତ୍ୱରାନିତ୍ୱ କରାଯାଉ ବୋଲି କହିଛନ୍ତି ସସ୍ମିତ । ଏହାବାଦ୍ ଚାଉଳ ସବସିଡି ବାବଦକୁ ପ୍ରାୟ ୫୬୧୬ କୋଟି ଟଙ୍କା ଏଯାଏଁ କେନ୍ଦ୍ର ଠାରୁ ପାଇନାହିଁ ଓଡ଼ିଶା । ତେଣୁ ତୁରନ୍ତ ଏହି ଟଙ୍କା ଦେବାକୁ କେନ୍ଦ୍ର ସରକାର ବ୍ୟବସ୍ଥା କରନ୍ତୁ ବୋଲି ଦାବି ରଖିଛନ୍ତି ସସ୍ମିତ ।