ଆଜିଠାରୁ ରାଜ୍ୟରେ ପୁଣି ଟିକାକରଣ ହେବ ଜୋରଦାର : ୧୭୩୦ କେନ୍ଦ୍ରରେ ଦିଆଯିବ ଟିକା; ପ୍ରଥମ ଥର ଲାଗି ଗଞ୍ଜାମର ଲୋକ ପାଇବେ କୋଭାକ୍ସିନ

193

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ପୁଣି ଜୋରଦାର ହେବ ଟିକାକରଣ । ମୋଟ ୧୭୩୦ ଟିକା କେନ୍ଦ୍ରରେ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଜୁନ ୨୧ ତାରିଖରୁ ଟିକାକରଣର ବଡ ଅଭିଯାନ ଆରମ୍ଭ ହୋଇଥିଲା । ସେହିଦିନଠାରୁ ଦୈନିକ ଟିକାକରଣ ପାଇଁ ଟାର୍ଗେଟ ରଖିଥିଲେ ରାଜ୍ୟ ସରକାର । ୧୬୧୩ କେନ୍ଦ୍ରରେ ଟିକାଦାନ କରାଯାଇ ୩ ଲକ୍ଷରୁ ଅଧିକ ଟିକା ଦିଆଯାଇଥିଲା । ତେବେ କେନ୍ଦ୍ରରୁ ଟିକା ନ ଆସିବା ଫଳରେ ଜୁନ ଶେଷ ଓ ଜୁଲାଇର ପ୍ରଥମ ୪ ଦିନରେ ଟିକାକରଣ ମନ୍ଥର ହୋଇଯାଇଥିଲା । ଏବେ କେନ୍ଦ୍ରରୁ ଟିକା ଆସିବା ପରେ ଆଜିଠାରୁ ଟିକାକରଣ ଅଭିଯାନ ଜୋରଦାର ହେବ ।

ସବୁଠାରୁ ବଡ କଥା ହେଲା, ଆଜିଠାରୁ ଗଞ୍ଜାମରେ କୋଭାକ୍ସିନ ଟିକା ଦିଆଯିବ । ଭୁବନେଶ୍ୱର ବାହାରେ ପ୍ରଥମ ଥର ଲାଗି କୋଭାକ୍ସିନ ଦିଆଯିବ । ବର୍ତ୍ତମାନ ରାଜ୍ୟରେ ୯ ଲକ୍ଷ ୫୨ ହଜାର ୮୨୦ ଡୋଜ କୋଭିସଲ୍ଡ ଟିକା ମହଜୁଦ ଥିବାବେଳେ ୩ ଲକ୍ଷ ୯୧ ହଜାର ୫୪୦ ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୨ ଲକ୍ଷରୁ ଅଧିକ ଡୋଜ ଦିଆଯାଇ ସାରିଲାଣି । ଏଥିମଧ୍ୟରୁ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧ କୋଟି ଟପିଛି । ୨୨ ଲକ୍ଷରୁ ଅଧିକ ଲୋକ ଦୁଇ ଡୋଜ ଟିକା ନେଇଛନ୍ତି ।