ଭାଇରାଲ ହେଉଛି ଲାଂଚ କାରବାରର ଭିଡିଓ : ସାମନାକୁ ଆସିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ମହାଦୁର୍ନୀତି; ଠିକାଦାରଠାରୁ ବିଡା ବିଡା ଟଙ୍କା ଲାଂଚ ନେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ

288

କନକ ବ୍ୟୁରୋ : ମୟୂରଭଂଜରେ ଭାଇରାଲ ହେଉଛି ଲାଂଚ କାରବାରର ଏହି ଭିଡିଓ । ଭିଡିଓଟି ହିଁ ବୟାନ କରୁଛି, କିପରି ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଚାଲିଛି ମହାଦୁର୍ନୀତି । କାର୍ଯ୍ୟାଳୟର କ୍ୟାସିୟର ରମାକାନ୍ତ ମହାନ୍ତି, ଠିକାଦାରଙ୍କଠାରୁ ବିଡ଼ା ବିଡ଼ା ଟଙ୍କା ନେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଥରେ ଅଧେ ନୁହେଁ ବାରମ୍ବାର ଠିକାଦାରଙ୍କ ନିକଟରୁ ବିଭିନ୍ନ ଆଳ ଦେଖାଇ କ୍ୟାସିୟର ବାବୁ ଲାଂଚ ନେଉଥିବାର ଅଭିଯୋଗ ହୋଇଆସୁଛି । ଟଙ୍କା ନେବା ପରେ ନିର୍ବାହୀ ଯନ୍ତ୍ରୀଙ୍କ ଚ୍ୟାମ୍ବରକୁ ଯାଇ ଡ୍ରୟାରରେ ଟଙ୍କା ରଖୁଛନ୍ତି କ୍ୟାସିୟର । ଲାଂଚ ନେବା ବେଳେ କ୍ୟାସିୟର ଜଣକ କହୁଛନ୍ତି, ଏଥିରେ ସମସ୍ତଙ୍କର ଭାଗ ରହିଛି । ନିର୍ବାହୀ ଯନ୍ତ୍ରୀଙ୍କ ନାରାୟଣ ପ୍ରସାଦ ଗାନ୍ଧୀଙ୍କ ନାଁରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି କ୍ୟାରିୟର । କେତେବେଳେ ଏଷ୍ଟିମେଂଟ ପାଇଁ ଟଙ୍କା ତ କେତେବେଳେ ଆଲଟମେଂଟ ପାଇଁ ଟଙ୍କା ତ କେତେବେଳେ ବିଲ୍ ପାସ୍ ପାଇଁ ଆଦାୟ ହେଉଛି ଟଙ୍କା ।

ଏ ସଂପର୍କରେ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଭିଡିଓ ୨ ବର୍ଷ ତଳର । ସେ ପିସି ନିଅନ୍ତି ନାହିଁ ବୋଲି କ୍ୟାସିୟରଙ୍କୁ କହିବା ପରେ ସମସ୍ତ ଟଙ୍କା କ୍ୟାସିୟର ଫେରାଇ ଦେଇଛନ୍ତି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ । କିଛି ଦିନ ତଳେ ପଦୋନ୍ନତି ପାଇଥିବା ନିର୍ବାହୀ ଯନ୍ତ୍ରୀ କିନ୍ତୁ ଲାଂଚ କାରବାରକୁ ଅସ୍ୱୀକାର କରିନାହାନ୍ତି ।