ନିରଞ୍ଜନଙ୍କ କୋଣାର୍କ ଉପାଖ୍ୟାନ ! ଓଡିଶା ନିର୍ମାଣରେ କୋଣାର୍କ କନେକସନ୍ ନେଇ କହିଲେ ଭିତିରି କଥା ।

88

କନକ ବ୍ୟୁରୋ : ଓଡିଶା ନିର୍ମାଣ କନକ୍ଲେଭ ୨୦୧୯ରେ ଯୋଗ ଦେଇ କିପରି ଓଡିଶା ନିର୍ମାଣ ହେବ ସେନେଇ ମତ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଓଡିଶା ନିର୍ମାଣ କ୍ଷେତ୍ରରେ କେଉଁ କେଉଁ ଦିଗ ଉପରେ ଗୁରୁତ୍ୱ ଦେବାକୁ ପଡିବ ସେନେଇ ମତ ରଖିଛନ୍ତି ନିରଞ୍ଜନ । କହିଛନ୍ତି, ଆଦି ଅନାଦି କାଳରୁ ଚାଲିଆସୁଥିବା ଭୁଲ ନିଷ୍ପତ୍ତିର ନିରାକରଣ ନହେଲେ ଓଡିଶା ନିର୍ମାଣ କେବେ ସମ୍ଭବ ହୋଇପାରିବ ନାହିଁ । ତେବେ ଏହି ପରିପ୍ରେକ୍ଷୀରେ ବିଶ୍ୱଐତିହ୍ୟ କୋଣାର୍କ ମନ୍ଦିରର ଇତିହାସ ଉପରେ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ।

କୋଣାର୍କ ମନ୍ଦିରର ଇତିହାସ ବାବଦରେ ଯାହା କିଛି ବି ଆମେ ଶୁଣିଛୁ ବା ଜାଣିଛୁ, ତାହା ମିଛ ବୋଲି ସେ କହିଛନ୍ତି । ନିର୍ମାଣଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କୋଣାର୍କ ମନ୍ଦିରର ସ୍ଥିତି ବଖାଣିଛନ୍ତି ପିସିସି ସଭାପତି । କହିଛନ୍ତି, କୋଣାର୍କ ମନ୍ଦିରର ମୂଳଦୁଆ ମଜଭୁତ ରହିଛି । ହେଲେ ମନ୍ଦିରର ଉପର ଭାଗ କାମ ଠିକ ଭାବେ ନ ହୋଇଥିବାରୁ ମନ୍ଦିରର ଉପରିଭାଗରେ ଫାଟ ସୃଷ୍ଟି ହେଉଛି । କିଛି ଇଞ୍ଜିନିୟରଙ୍କ ଡିଜାଇନ୍ ଏବଂ ଭୁଲ ନିଷ୍ପତି ଯୋଗୁଁ କୋଣାର୍କ ମନ୍ଦିରର ସ୍ଥିତି ଏପରି ହୋଇଥିବା ସେ କହିଛନ୍ତି ।

ରାଜ୍ୟର ବିକାଶ କାର୍ଯ୍ୟକୁ କୋଣାର୍କ ମନ୍ଦିର ସହ ତୁଳନା କରିଛନ୍ତି ନିରଞ୍ଜନ । ରାଜ୍ୟର ଅନେକ କାମକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକାର୍ପଣ କରିବା ପାଇଁ, ତରବରିଆ ଭାବେ କାର୍ଯ୍ୟ କରାଯାଉଥିବାରୁ ଏଥିରେ କ୍ଷତି ହେଉଥିବା ସେ କହିଛନ୍ତି । ସେହିପରି ନୌବାଣିଜ୍ୟ ଉପରେ ମଧ୍ୟ ମତବ୍ୟକ୍ତ କରିଛନ୍ତି ନିରଞ୍ଜନ । ପୂର୍ବରୁ ନୌବାଣିଜ୍ୟ ଥିବା ବେଳେ ଏବେ କାହିଁକି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଟ୍ୟାକ୍ସ ପାଇଁ ନୌବାଣିଜ୍ୟ ବନ୍ଦ ହୋଇଯାଇଛି । ବର୍ତ୍ତମାନ ଓଡିଶାର ସ୍ଥିତି ଠିକ୍ ସେହିପରି ଥିବା ସେ କହିଛନ୍ତି ।