ଗୁଜରାଟର ୪ଟି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ। ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ କଟକଣା

139

କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ୪ଟି ସହର ଅହମ୍ମଦାବାଦ, ସୁରଟ, ବଡ଼ୋଦରା ଓ ରାଜକୋଟରେ ରାତ୍ରିକାଳୀନ କର୍ଫ୍ୟୁ (ରାତି ୧୧ରୁ ସକାଳ ୬) ଲାଗୁ ହୋଇଛି। ମହାମାରୀ କରୋନା ଭାଇରସ୍‌କୁ ରୋକିବା ପାଇଁ ଗୁଜୁରାଟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।

ଗୁଜୁରାଟର ଅତିରିକ୍ତ ମୁଖ୍ୟ ସଚିବ (ଗୃହ) ପଙ୍କଜ କୁମାର ଏହି ଘୋଷଣା କରି କହିଛନ୍ତି, ‘‘ ଯଦିଓ କୋଭିଡ -୧୯ ସୁସ୍ଥ ହାର ୯୬.୯୪ ପ୍ରତିଶତ ରହିଛି, କିନ୍ତୁ ଏହାକୁ ରୋକିବା ବା ସମ୍ପୂର୍ଣ୍ଣ ବିଲୋପ କରିବା ପାଇଁ ଆମକୁ ସତର୍କ ଓ ସଜାଗ ଉଚିତ। ସେଥିପାଇଁ କିଛି ରଣନୀତି ଅବଲମ୍ବନ କରିବାର ଅବଶ୍ୟକତା ରହିଛି।’’

ପୂର୍ବରୁ ଗୁଜୁରାଟ ସରକାର ରାଜ୍ୟରେ ବିବାହସ୍ଥଳରେ ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟା ୧୦୦ରୁ ୨୦୦କୁ ବୃଦ୍ଧି କରିଛନ୍ତି। ଏହାଛଡ଼ା ବଡ଼ ଧରଣର ସମାବେଶ, ବିବାହସ୍ଥଳୀ, ପୂଜାପାଠସ୍ଥଳୀ, ମଲ୍, ରେଷ୍ଟୁରାଣ୍ଟ, ହୋଟେଲ, ସିନେମା ହଲ୍, ସୁଇମିଂ ପୁଲ୍, ଜିମ୍ନାସିୟମ୍, ପ୍ରଦର୍ଶନୀ, ବିଦ୍ୟାଳୟ, କଲେଜଗୁଡିକରେ ଏସ୍‌ଓପିକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଙ୍କଜ କୁମାର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ରେନ୍, ବିମାନ ଯାତ୍ରା ଏବଂ ମେଟ୍ରୋ ଟ୍ରେନ୍ ଯୋଗେ ଯାତ୍ରୀମାନଙ୍କ ଗତିବିଧି ଉପରେ ମଧ୍ୟ ରାଜ୍ୟ ପ୍ରଶାସନ ତୀକ୍ଷ୍ଣ ନଜର ରଖିବ। ଗୁଜୁରାଟରେ ଗତବର୍ଷ ଡିସେମ୍ବରରେ ନୂଆ କରୋନା ଭାଇରସ୍‌ ମାମଲା ଚିହ୍ନଟ ହେବା ପରେ ରାତି ୧୦ରୁ ସକାଳ ୬ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିଲା।