ଆଉ ଖାକି ପିନ୍ଧିବେନି ପୋଲିସ ବାବୁ ! ସ୍ମାର୍ଟ ପୋଷାକରେ ଆସିବେ ନଜର

86

କନକ ବ୍ୟୁରୋ: ଭାରତରେ ଖାକି ପୋଷାକ ପୋଲିସର ପରିଚୟ । କିନ୍ତୁ ଏଣିକି ଆଉ ଖାକି ପୋଷାକରେ ନଜର ଆସିବେନି ପୁଲିସ ବାବୁ । ଦେଶବ୍ୟାପୀ ପୁଲିସମାନେ ଆଉ ବ୍ରିଟିସ ଅମଳର ଖାକି ପୋଷାକ ପିନ୍ଧିବେ ନାହିଁ । ପୂରା ଦେଶରେ ସମସ୍ତ ପୋଲିସ କର୍ମଚାରୀ ଗୋଟିଏ ରଙ୍ଗର ପୋଷକରେ ନଜରକୁ ଆସିବେ । ପାଞ୍ଚ ବର୍ଷ ଗବେଷଣା କରିବା ପରେ ଅହମଦାବାଦସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ (ଏନ୍ଆଇଡି) ସବୁ ପାଗ ପାଇଁ ସୁବିଧାଜନକ ଏବଂ ଆଖି ଦୃଶିଆ ସ୍ମାର୍ଟ ୟୁନିଫର୍ମ ତିଆରି କରିଛି। ଏହାକୁ ଦେଶର ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଏବଂ କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସ ପରିଧାନ କରିବେ।

ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ ଆଣ୍ଡ୍ ଡେଭେଲପମେଣ୍ଟର ସହଯୋଗରେ ପୁଲିସମାନଙ୍କ ପାଇଁ ସାର୍ଟ, ପ୍ୟାଣ୍ଟ୍, ବେଲ୍ଟ୍, ଟୋପି, ଇନସିଗ୍ନିଆ, ଜୋତା, ଜ୍ୟାକେଟ୍, ରେନକୋର୍ଟ ଏବଂ ହେଡଗିଅର୍ ଆଦି ସହ ୯ ପ୍ରକାର ୟୁନିଫର୍ମର ନମୁନା ପ୍ରସ୍ତୁତ କରିଛନ୍ତି। ୯ ପ୍ରକାରର ୟୁନିଫର୍ମରୁ କୌଣସି ଗୋଟିକୁ ବାଛିବା ନିମନ୍ତେ ସମସ୍ତ ରାଜ୍ୟର ପୁଲିସ ବାହିନୀ ଏବଂ ପାରାମିଲିଟାରି ଫୋର୍ସଙ୍କୁ କୁହାଯାଇଛି ।

ରାଜ୍ୟର ପୋଲିସ ଅଧିକାରୀ ମାନେ ପୂର୍ବରୁ ଖାକି ପୋଷାକ ପିନ୍ଧିବା ପରେ ହେଉଥିବା ଅସୁବିଧା ନେଇ ସରକାରଙ୍କୁ ଜଣାଇଥିଲେ । ପୂର୍ବରୁ ଖାକି ପୋଷାକକୁ ନେଇ ପ୍ରଶ୍ନ ଉଠାଇଥିଲା ପୋଲିସ ବିଭାଗ । ପୋଷ୍ଟମ୍ୟାନ, ନଗରପାଳ କର୍ମଚାରୀ, ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ଖାକି ରଙ୍ଗର ପୋଷାକ ପିନ୍ଧିଥାନ୍ତି । ତେଣୁ ଏମାନଙ୍କ ପୋଷାକ ଠାରୁ ପୋଲିସ ପୋଷାକ ଅଲଗା ହେବା ଆବଶ୍ୟକ ବୋଲି ଅନେକ ସମୟରେ ପୋଲିସ ବିଭାଗ ଦାବି କରିଛନ୍ତି । ଏହାପରେ ବଡ ବଡ ବିଶେଷଜ୍ଞ ମାନେ ଦେଶର ବିଭିନ୍ନ ସ୍ଥାନର ଜଳବାୟୁକୁ ଦୃଷ୍ଟିରେ ରଖି ଏପରି ପୋଷାକ ତିଆରି କରିଛନ୍ତି । ଯାହା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପୋଲିସକୁ ସୁହାଇବ ।

ଏବେ ପୋଲିସ ପିନ୍ଧୁଥିବା ଖାକି ପୋଷାକ ବହୁତ ମୋଟା କପଡାରେ ତିଆରି ତେଣୁ ଖରାଦିନେ ଏପରି ପୋଷାକ ପିନ୍ଧିଲେ ବହୁତ ଗରମ ହୋଇଥାଏ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ଜଳବାୟୁରେ ପିନ୍ଧି ହେଉଥିବା ନରମ ପୋଷାକ ତିଆରି କରାଯାଉଛି । ଏହି ନୂଆ ପୋଷାକ ଏପରି ଭାବେ ତିଆରି କରାଯାଇଛି ଯେ, ଏହା ସମ୍ପୂର୍ଣ୍ଣ କିଟାଣୁ ଓ ଧୂଳି ନିରୋଧୀ । ତା ଛଡା ପୂର୍ବରୁ ପୋଲିସ ପିନ୍ଧୁଥିବା ଖାକି ପୋଷାକରେ ଅତ୍ୟାବଶ୍ୟକ ଜିନିଷ ନେବା ପାଇଁ ସୁବିଧା ନଥିଲା । କିନ୍ତୁ ନୂତନ ଭାବେ ନିର୍ମିତ ହେଉଥିବା ସାର୍ଟରେ ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ପଯ୍ୟାପ୍ତ ଜିନିଷ ନିଆ ଯାଇପାରିବ ।

କେବଳ ପୋଷାକ ନୁହେଁ ପୋଲିସ ଜୋତାରେ ମଧ୍ୟ ପରିବର୍ତ୍ତନ ଆସିବ । ଏବେ ପୋଲିସ ଚମଡାରେ ନିର୍ମିତ ଅଧିକ ଓଜନ ବିଶିଷ୍ଟ ଜୋତା ବ୍ୟବହାର କରୁଛନ୍ତି । ଯାହାକୁ ଅଧିକ ସମୟ ଧରି ପିନ୍ଧିବା ଦ୍ୱାରା ଅସହଜ ଲାଗିଥାଏ ମାତ୍ର ଏବେ ହାଲକା ମେଟେରିଆଲରେ ନିର୍ମିତ ଜୋତା ବ୍ୟବହାର କରିବେ ପୋଲିସ । ଏହା ଜୋତା ସମ୍ପୂର୍ଣ୍ଣ ଭାବେ ହାଲକା ହେବା ସହ ମଜବୁତ ମଧ୍ୟ ।

ବର୍ତ୍ତମାନ ପୋଲିସ ଉଲରେ ତିଆରି ହୋଇଥିବା ଟୋପି ବ୍ୟବହାର କରୁଛନ୍ତି । ଏହି ଟୋପି ପିନ୍ଧିବା ଦ୍ୱାରା ମୁଣ୍ଡବିନ୍ଧିବା ସହ କେଶ ଝଡିବାଭଳି ସମସ୍ୟା ଦେଖାଯାଉଛି । ତେଣୁ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପୋଲିସଙ୍କ ପାଇଁ ଆସିବ ସ୍ମାର୍ଟ ଟୋପି । ତା ଛଡା ଏବେ ପୋଲିସୁ ବ୍ୟବହାର କରୁଥିବା ଚଉଡା ବେଲ୍ଟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଉପରିସ୍ଥ ଅଧିକାରୀ । ଏହି ବେଲ୍ଟ ପିନ୍ଧିବା ଦ୍ୱାରା ଠିକରେ ନଇଁବାରେ ମଧ୍ୟ ଅସୁବିଧା ହୋଇଥାଏ । ତେଣୁ ପୋଲିସ ପିନ୍ଧୁଥିବା ବେଲ୍ଟକୁ ମଧ୍ୟ ପରିବର୍ତ୍ତନ କରାଯିବ । ଏହି ପୋଷାକରେ ଦୁଇଟି ଭାଷାରେ ପୋଲିସ ଲେଖା ଥିବାର ଦେଖିବାକୁ ମିଳିବ ।

ସୌଜନ୍ୟ: ଟାଇମସ୍ ଅଫ୍ ଇଣ୍ଡିଆ